ଭୁବନେଶ୍ବର: ବିଏମ୍ସି ଅତିରିକ୍ତ କମିସନରଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଜାମିନ ଖାରଜ କରିବା ପରେ ଶ୍ରୀ ପ୍ରଧାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଆଜି ରାତିରେ ଜଗନ୍ନାଥ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ।
ଏହାପରେ ତାଙ୍କୁ ଗିରଫ କରାଗଲା ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ଜଗନ୍ନାଥଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ଜାମିନ ଖାରଜ କରିଦେଇଥିଲେ। ଏହାପରେ ତାଙ୍କୁ ଝାରପଡ଼ା ଜେଲ୍କୁ ନିଆଯାଇଥିଲା। ଜେଲ୍ ବାହାରେ ଶତାଧିକ ବିଜେପି କର୍ମୀ ଓ ଶୁଭେଚ୍ଛୁ ଅପେକ୍ଷା କରିଥିଲେ। କର୍ମୀମାନେ ତାଙ୍କ ନାଁରେ ଜିନ୍ଦାବାଦ ନାରା ଦେଇଥିଲେ। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଜେଲ୍ ବାହାରେ ପୁଲିସ ଛାଉଣି କରାଯାଇଥିଲା।
କଡ଼ା ସୁରକ୍ଷା ବଳୟରେ ପୁଲିସ ଜଗନ୍ନାଥଙ୍କୁ ଜେଲ୍ ଫାଟକ ନିକଟକୁ ନେଇଥିଲା। ସେହି ସମୟରେ କିଛି କର୍ମୀ ଉତ୍ତେଜିତ ହୋଇପଡ଼ିଥିବା ଦେଖାଯାଇଥିଲା। ସେମାନେ ପୁଲିସକୁ ଏକପ୍ରକାର ବାଟଓଗାଳିବା ସ୍ଥିତି ସୃଷ୍ଟି କରିଥିଲେ। ମାତ୍ର ପୁଲିସ ବୁଝାସୁଝା କରି ସେମାନଙ୍କୁ ବାଟରୁ ହଟାଇଥିଲା ଏବଂ ଜଗନ୍ନାଥଙ୍କୁ ଜେଲ୍ ଭିତରକୁ ନେଇଥିଲା। ଜେଲ୍ ନିୟମ ଅନୁଯାୟୀ ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ପରେ ତାଙ୍କୁ ସାଧାରଣ ବନ୍ଦୀ ଵାର୍ଡକୁ ପଠାଇ ଦିଆଯାଇଥିଲା।
ଲାଗିଲା ସଙ୍ଗିନ ଦଫା: ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ଗଲେ
ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କ ନାମରେ ସଙ୍ଗିନ ଦଫା ଲଗାଇ କମିସନରେଟ୍ ପୁଲିସ କୋର୍ଟ ଚାଲାଣ କରିଛି। ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧(୨), ୫୪, ୬୧(୨), ୬୨ ଲାଗିଛି।
ଧାରା ୧୨୧(୧) : ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ବାଧା ଦେବା
ଧାରା ୧୨୧(୨) : ସରକାରୀ କର୍ମଚାରୀଙ୍କୁ ଆଘାତ ପହଞ୍ଚାଇବା
ଧାରା ୧୩୨ : ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗଭୀର ଆଘାତ ପହଞ୍ଚାଇବା
ଧାରା ୧୮୯(୨) : ବେଆଇନ ଜନସମାବେଶ
ଧାରା ୧୯୦ : ବେଆଇନଭାବେ ଜନସମାବେଶ କରି ଅପରାଧ ଘଟାଇବା
ଧାରା ୩(୫) : ଅପରାଧରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି
ଧାରା ୩୦୪ : ଛିନ୍ତାଇ କରିବା
ଧାରା ୩୩୩ : ଆକ୍ରମଣ କରି ଘର ଭିତରକୁ ଅନଧିକାର ପ୍ରବେଶ
ଧାରା ୩୫୧ (୨) : ଅପରାଧିକ ଭୟ ପ୍ରଦର୍ଶନ ସହ ଅପରାଧ କରିବା
ଧାରା ୫୪ : ଅପରାଧ କରିବାରେ ସହାୟତା କରିବା
ଧାରା ୬୧(୨) : ଅପରାଧମୂଳକ ଷଡ୍ଯନ୍ତ୍ର
ଧାରା ୬୨ : ଅପରାଧ କରିବା ପାଇଁ ଉସୁକାଇବା
ଶ୍ରୀ ପ୍ରଧାନଙ୍କୁ ରାତି ଅଧରେ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ପକ୍ଷରୁ ଓକିଲ ଅନିଲ କୁମାର ଶତପଥୀ ଜାମିନ ଆବେଦନ କରିଥିଲେ। କିନ୍ତୁ ୧୨୧(୨) ଦଫା ଲାଗିଥିବାରୁ କୋର୍ଟ ଜାମିନ ଆବେଦନକୁ ନାକଚ କରିବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ଆସନ୍ତାକାଲି ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଆଇନଜୀବୀ ଶ୍ରୀ ଶତପଥୀ କହିଛନ୍ତି।