ଜଗତସିଂହପୁର/ବାଲିତୁଠ: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଢିଙ୍କିଆ ପଞ୍ଚାୟତବାସୀ। ଜଙ୍ଗଲ ଜମି ନ ଫେରାଇଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଜୀବନ ଦେବୁ ପଛେ ପଛକୁ ହଟିବୁ ନାହିଁ ବୋଲି କହିଛନ୍ତି। କମ୍ପାନି ଭିତ୍ତିଭୂମି କାମ ଆରମ୍ଭ ହୋଇଥିବା ବେଳେ ଢିଙ୍କିଆ ପଞ୍ଚାୟତବାସୀଙ୍କ ଋଣହୁଙ୍କାର ଆଗକୁ ଅଡ଼ୁଆ ସୃଷ୍ଟି କରିବ ବୋଲି କୁହାଯାଉଛି। ଶୁକ୍ରବାର ଏରସମା ତହସିଲ ଅଧୀନ ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଢିଙ୍କିଆ ସରପଞ୍ଚ ପିଙ୍କି ଦାସଙ୍କ ସଭାପତିତ୍ୱରେ ସରକାରଙ୍କ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମସଭାରେ ଢିଙ୍କିଆ ପଞ୍ଚାୟତର ଢିଙ୍କିଆ, ତ୍ରିଲୋଚନପୁର, ଗୋବିନ୍ଦପୁର, ପାଟଣା, ମାହାଳ ଗ୍ରାମର ପାଖାପାଖି ଏକ ହଜାରରୁ ଅଧିକ ଗ୍ରାମବାସୀ ଯୋଗ ଦେଇ ସରକାର ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତର ଜଙ୍ଗଲ ଜମିକୁ ବେଆଇନ ଭାବେ ବିନା ଗ୍ରାମସଭାରେ ହସ୍ତାନ୍ତର କରିଥିବା ଅଭିଯୋଗ କରିଥିଲେ। ପ୍ରତ୍ୟେକ ଗ୍ରାମର ମୁରବି, ସାଧାରଣଲୋକ କହିଥିଲେ ଯେ ଜଙ୍ଗଲ ଅଧିକାର ଆଇନର ୨୦୦୬ ଧାରା ୪ (୧),୩,୫ ଅନୁସାରେ ଜଙ୍ଗଲ ଜମିରେ ଥିବା ବିଶେଷ ଅଧିକାର ଏବଂ ଗ୍ରାମସଭାର ବିଶେଷ କ୍ଷମତା ବିନା ଅନୁପାଳନରେ ଜଙ୍ଗଲ ଜମିକୁ ପ୍ରକଳ୍ପ ପାଇଁ ହସ୍ତାନ୍ତର କରିବା ଜଙ୍ଗଲ ଅଧିକାର ଆଇନ ଏବଂ ନୂତନ ଜମି ଅଧିଗ୍ରହଣ ଆଇନ-୨୦୧୩ର ଖୋଲା ଉଲ୍ଲଂଘନ।
ସରକାର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରିବା ସହିତ ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଛନ୍ତି। ଅଥଚ କମ୍ପାନି ଢିଙ୍କିଆ ପଞ୍ଚାୟତରେ ୨୫ ଲକ୍ଷ ଗଛ କାଟିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜଙ୍ଗଲରେ ରହୁଥିବା ବିଭିନ୍ନ ବନ୍ୟଜନ୍ତୁ ହ୍ରାସ ପାଇବା ସହିତ ଅନେକ ଦିନର ବାଲିସ୍ତୂପଗୁଡ଼ିକୁ ଅନ୍ୟତ୍ର ବୁହାଇ ସିଆରଜେଡ୍ ଉଲ୍ଲଂଘନ କରୁଛି କମ୍ପାନି। ଏପରିକି ଢିଙ୍କିଆ ପଞ୍ଚାୟତର ଲୋକେ ବାହାରକୁ ଦାଦନ ଖଟିବା ପାଇଁ ଯାଉଥିବା ବେଳେ ବାହାରୁ ଲୋକମାନଙ୍କୁ ଆଣି କମ୍ପାନି ତାର କାର୍ଯ୍ୟ ଆରମ୍ଭ କରୁଛି। ଧାନ, ପାନ ଓ ମୀନ ଉପରେ ନିର୍ଭର କରି ଚଳୁଥିବା ଗ୍ରାମବାସୀଙ୍କ ଭାତ ହାଣ୍ଡି ଛଡ଼ାଇ ନିଆଯାଇଛି।
ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସରକାର ତୁରନ୍ତ ବାତିଲ କରିବା, ଜଙ୍ଗଲ ଅଧିକାର ଆଇନ ଓ ଗ୍ରାମସଭା ଅଧିକାରକୁ ଲୋକମାନଙ୍କୁ ପ୍ରଦାନ, ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୨ରେ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିକାର କରି ଜେଏସଡବ୍ଲୁକୁ ଦିଆଯାଇଥିବା ନିଷ୍ପତ୍ତିକୁ ବାତିଲ କରିବା ନିମନ୍ତେ ଆଜିର ଗ୍ରାମସଭାରେ ସର୍ବସମ୍ମତ ନିଷ୍ପତ୍ତି ହୋଇଛି। ସରକାର, ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷ ଯଦି ଗ୍ରାମସଭାର ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ଢିଙ୍କିଆ ପଞ୍ଚାୟତବାସୀଙ୍କୁ ଜଙ୍ଗଲ ଅଧିକାର ଆଇନରୁ ବଞ୍ଚିତ କରନ୍ତି ତେବେ ଢିଙ୍କିଆ ସହିତ ଢିଙ୍କିଆ ଚାରିଦେଶରେ ଜନ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମସଭାରେ ଢିଙ୍କିଆ ପଞ୍ଚାୟତର ସମିତିସଭ୍ୟା ମିତାଞ୍ଜଳୀ ଭୋଇ, ନାଏବ ସରପଞ୍ଚ ତୀର୍ଥଙ୍କର ଦାସ, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ପିଇଓ ନୃସିଂହ ଭୋଇ, ଏଡିଓ ନୃସିଂହ ଚରଣ ଶୁକ୍ଳା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏ ସଂପର୍କରେ କମ୍ପାନି ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇନଥିଲେ।