ଗାନ୍ଧୀ ଜୟନ୍ତୀରେ ଭାରତକୁ କୁଷ୍ଠମୁକ୍ତ ଘୋଷଣାକୁ ବିରୋଧ

ଭୁବନେଶ୍ବର : ଚଳିତ ଗାନ୍ଧୀ ଜୟନ୍ତୀକୁ କେନ୍ଦ୍ର ସରକାର ଭାରତକୁ ‌କୁଷ୍ଠମୁକ୍ତ ଘୋଷଣା କରିବାକୁ ଯାଉଛନ୍ତି। ଜାତୀୟ କୁଷ୍ଠ ନିରାକରଣ ମୂଲ୍ୟାୟନ ଦାୟିତ୍ବରେ ଥିବା ଉଚ୍ଚ ପଦାଧିକାରୀ କେଉଁ ଆଧାର‌ରେ ଏଭଳି ପଦକ୍ଷେପ ନେବାକୁ କହିଛନ୍ତି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶା ସମେତ ଦେଶର ସବୁ ରାଜ୍ୟରେ ଯଥେଷ୍ଟ ସଂଖ୍ୟକ କୁଷ୍ଠରୋଗୀ ଥିବା ବେଳେ ଦେଶକୁ କୁଷ୍ଠମୁକ୍ତ ଘୋଷଣା କରାଯିବା ଲଜ୍ଜାଜନକ ବୋଲି କହିଛି ଇଣ୍ଡିଆନ୍ ହାଂସେନିଆନ୍‌ସ(କୁଷ୍ଠ) ସଂଘ।

ଆଜି ନେହରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ସାହୁ କହିଲେ, ୨୦୦୬/୦୭ ମସିହାରେ ଚକ୍ରାନ୍ତ କରି ଓଡ଼ିଶାକୁ କୁଷ୍ଠମୁକ୍ତ ବୋଲି ‌ଘୋଷଣା କରାଗଲା। ମାତ୍ର ସେହିବର୍ଷ ରାଜ୍ୟରେ ୫୦୮୮ କୁଷ୍ଠରୋଗୀ ଚିହ୍ନଟ ହୋଇଥିଲେ। ପରବର୍ତୀ ବର୍ଷଗୁଡ଼ିକ‌ରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିଲା। ଏବେ ପ୍ରତି ୧୦ହଜାର ଜନସଂଖ୍ୟାରେ ୧ ପ୍ରତିଶତ ପ୍ରିଭେଲାନ୍‌ସ ହାରରେ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ୧୯୮୨ ମସିହାରୁ ୨୦୧୯ ମସିହା ଭିତରେ ରାଜ୍ୟରେ ୧୧ଲକ୍ଷ ୨୯ହଜାର ୫୩୦ଜଣ କୁଷ୍ଠ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଘୃଣା, ଲଜ୍ଜା ଓ ଅପମାନ ସହି ନ ପାରି ଜୀବନ ବଞ୍ଚୁଛନ୍ତି। ୯୨ଟି କୁଷ୍ଠ କଲୋନିରେ ମୌଳିକ ସୁବିଧା ନ ଥିବା ବେଳେ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛନ୍ତି। କୁଷ୍ଠରୋଗୀଙ୍କ ଚିହ୍ନଟ, ରୋଗ ନିରୂପଣ, ତୁରନ୍ତ ଚିକିତ୍ସା ଓ ଭିନ୍ନକ୍ଷମତା ନିବାରଣ ପାଇଁ ୪୦୪ ମଞ୍ଜୁରୀପ୍ରାପ୍ତ କୁଷ୍ଠକର୍ମୀ ପଦବିରୁ ୩୫୦ ପଦବି ଖାଲି ପଡ଼ିଛି। ବିଳମ୍ବରେ ରୋଗୀ ଚିହ୍ନଟ ଯୋଗୁଁ ଅଙ୍ଗ ପ୍ରତ୍ୟେଙ୍ଗ ବିକଳାଙ୍ଗ ହୋଇଯାଇଛି। ଯଦି କୌଣସି ରୋଗୀଙ୍କର ମୃତ୍ୟୁ ହେଉଛି ସେମାନଙ୍କ ଶବଦାହ କରିବା ପାଇଁ କେହି ଆଗେଇ ଆସୁ ନାହାନ୍ତି। ତେଣୁ ଦେଶ କୁଷ୍ଠମୁକ୍ତ ଘୋଷଣା ହେଲେ ଏହି ରୋଗ ନେଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନୁଦାନ ବନ୍ଦ ହୋଇଯିବ। ଫଳରେ କୁଷ୍ଠାଶ୍ରମ ଚାଲିବା କଷ୍ଟକର ହୋଇଯିବ। ରାଜ୍ୟରେ ଥିବା ହିନ୍ଦ କୁଷ୍ଠ ନିବାରଣ ସଂଘ ମଧ୍ୟ ଦୀର୍ଘଦିନ ହେବ ଅଚଳ ଅବସ୍ଥାରେ ରହିଛି। ରାଜ୍ୟପାଳ ଏହାର ସଭାପତି ହୋଇଥିବା ବେଳେ ନିକଟରେ ସଂଘ ରାଜ୍ୟପାଳଙ୍କୁ ଭେଟି ଏହି ଦାବି ଜଣାଇଛି। ଆଗାମୀ ଦିନରେ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ସାହୁ, ବିପିନ ବିହାରୀ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର