ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ଶାସନ ଆମ୍ବଗାଁରେ ମଦ ବିରୋଧରେ ମହିଳାଙ୍କ ଆନ୍ଦୋଳନ ଜୋର୍‌ଦାର୍‌ ହୋଇଛି। ଗାଁରେ ‌ଥିବା ସରକାରୀ ଦେଶୀମଦ ଦୋକାନ ଓ ମଦ ବିକ୍ରି କାଉଣ୍ଟର୍‌ ବନ୍ଦ ଦାବିରେ ଶତାଧିକ ମହିଳା ଓ ଗ୍ରାମବାସୀ ପୁଣି ମେଳି ବାନ୍ଧିଛନ୍ତି। ଗତ ୫ ମାସ ତଳେ ତଥା ଜାନୁଆରି ୨୪ ତାରିଖରେ ମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଦୋକାନ ଆଗରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ମଦ ବିକ୍ରି ବନ୍ଦ ହୋଇଥିଲା। ତେବେ ପୁଣି ଗତ କିଛିଦିନ ହେଲା ମଦ ବିକ୍ରି ଆରମ୍ଭ ହୋଇ ଯାଇଥିବାରୁ ଏହାର ପ୍ରତିବାଦରେ ଆଜି ପୁଣି ମହିଳାମାନେ ରାସ୍ତାକୁ ଆସିଛନ୍ତି। ସଂଘବଦ୍ଧ ଭାବେ ରାସ୍ତା ଉପରେ ଟାୟାର୍ ଜାଳି ଅବରୋଧ କରିଥିଲେ।

Advertisment

ସେମାନଙ୍କ ଅଭିଯୋଗ ହେଉଛି, ଗାଁରେ ମଦ ଦୋକାନ ଓ ଦେଶୀମଦ କାଉଣ୍ଟର୍‌ ଥିବାରୁ ପୁରୁଷମାନେ ମଦ ପିଇ ସର୍ବସ୍ବାନ୍ତ ହେଉଛନ୍ତି। ଏହାସହ ସବୁବେଳେ ପାରିବାରିକ ଅଶାନ୍ତି ଲାଗି ରହୁଥିବା ସହ ମଦ ପିଇ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅସାମାଜିକଙ୍କ ଦୌରାତ୍ମ୍ୟ ମଧ୍ୟ ବଢ଼ିବାରୁ ଲୋକେ ଅତିଷ୍ଠ। ତେଣୁ ଉକ୍ତ ଦୋକାନକୁ ଏଠାରୁ ସବୁଦିନ ପାଇଁ ତୁରନ୍ତ ହଟାଇବାକୁ ମହିଳାମାନେ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ତୁରନ୍ତ ଦୋକାନ ବନ୍ଦ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।