ତେଜିଲା ମଙ୍ଗୁ ମଠ ଭଂଗା ବିବାଦ : ପୁରୀ ଆସି ପ୍ରତିବାଦ କରିବେ ଲକ୍ଷାଧିକ ଶିଖ୍‌

ପୁରୀରେ ପଞ୍ଜାବ ବିଧାୟକଙ୍କ ସହ ପ୍ରତିନିଧିଦଳ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି। ବରଂ ଏହା ଦିନକୁ ଦିନ ତେଜିବାରେ ଲାଗିଛି। ଶିଖ୍‌ମାନଙ୍କ ଦାବିକୁ ଅଣଦେଖା କରି ମଙ୍ଗୁ ମଠକୁ ଉଚ୍ଛେଦ କରାଯାଇଥିବାରୁ ଆଜି ପଞ୍ଜାବର ଏକ ବିଧାୟକ ପ୍ରତିନିଧିଦଳ ପୁରୀ ଆସି ଏହାର ପ୍ରତିବାଦ କରିଛନ୍ତି।

ଶିଖ୍‌ମାନଙ୍କ ଦାବିକୁ ଅଣଦେଖା କରି ମଙ୍ଗୁ ମଠ ଭଂଗାଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି। ଏମାନଙ୍କ ଅଭିଯୋଗ ହେଲା, ଏହା ଭାରତର ବିଭିନ୍ନତା ମଧ୍ୟରେ ଏକତା ଭାବକୁ ନଷ୍ଟ କରୁଛି। ଶିଖ୍‌ମାନଙ୍କ ଦାବିକୁ ଗୁରୁତ୍ବ ଦିଆଯାଇ ନଥିବାରୁ ସମଗ୍ର ପଞ୍ଜାବରେ ଏ‌ହାକୁ ବିରୋଧ କରାଯିବ। ଲକ୍ଷାଧିକ ଶିଖ୍‌ ପୁରୀ ଆସି ଏହାର ପ୍ରତିବାଦ କରିବେ ବୋଲି ଲୁଧିଆନାର ବିଧାୟକ ଶ୍ରୀମତ ସିଂହ କହିଛନ୍ତି। ଶିଖ୍‌ମାନଙ୍କ ଭାବନାକୁ ଏହା ଆଘାତ ଦେଇଛି। ଅମୃତସର ସ୍ବର୍ଣ୍ଣ ମନ୍ଦିର ଚାରିପାଖରେ ଥିବା ବିଭିନ୍ନ ମଠ ମନ୍ଦିରକୁ ସଂରକ୍ଷଣ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ଉଲ୍ଲଂଘନ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ବିଧାୟକଙ୍କ ସହିତ ଅନ୍ୟ ୭ ସଭ୍ୟ ମଧ୍ୟ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିନିଧିଦଳ ଆଲୋଚନା କରିବାକୁ ଚାହିଁଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିବାରୁ ଆଲୋଚନା ସମ୍ଭବ ହୋଇପାରି ନାହିଁ। ଏମାନେ ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ଓଡ଼ିଶା ରାଜ୍ୟପାଳଙ୍କ ସହିତ ଆଲୋଚନା କରିବାର ଥିଲା। ତ‌େବେ ଏହି ଆଲୋଚନାକୁ ବାତିଲ କରାଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ମଠ ଓ ମନ୍ଦିରକୁ ସୁରକ୍ଷିତ ରଖିଛି, କେବଳ ମଠ ଆଳରେ ଯେଉଁ ବ୍ୟବସାୟ ଚାଲିଥିଲା ସେହି ଘରଗୁଡ଼ିକ ଭଙ୍ଗାଯାଇଛି ବୋଲି କହିଛନ୍ତି। ମନ୍ଦିର ସୁରକ୍ଷିତ ରହିଛି। କୌଣସି ଦେବାଦେବୀ, ମନ୍ଦିର ଓ ଗାଦି ଘର ଉଚ୍ଛେଦ ହୋଇନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର