ବିଗାଡ଼ିଦେଲେଣି କେନ୍ଦୁଝର ପରିବେଶ, ପ୍ରସ୍ତାବିତ ୯ ଖଣି ଲିଜ୍‌କୁ ବିରୋଧ କଲେ କେନ୍ଦୁଝର ନାଗରିକ ମଞ୍ଚ

ଭୁବନେଶ୍ବର : କେନ୍ଦୁଝର ମାଟି ଗର୍ଭରୁ ଲୌହ ଖଣିଜ ଉତ୍ତୋଳନରୁ ସରକାର ଅର୍ଥ ଉପାର୍ଜନରେ ଲାଗିଛନ୍ତି। ମାତ୍ର ଖଣି ଉତ୍ତୋଳନ କେନ୍ଦୁଝରର ପରିବେଶକୁ ବିଗାଡି ଦେଲାଣି। ଯେଉଁ ମାଟି ସରକାରଙ୍କୁ ମୋଟା ରାଜସ୍ବ ଦେଉଛି, ତା’ ପ୍ରତି ସରକାର ଏପର୍ଯ୍ୟନ୍ତ ସେତିକି ଗୁରୁତ୍ବ ଦେଇନାହାନ୍ତି। କେନ୍ଦୁଝରରେ ୧୨୬ଟି ଖଣି ଉତ୍ତୋଳନ ପାଇଁ ସରକାର ୩୩ ହଜାର ହେକ୍ଟରରୁ ଅଧିକ ଜମି ଲିଜ୍‌ ସୂତ୍ରରେ ଦେଇସାରିଛନ୍ତି। ଏଥିମଧ୍ୟରୁ ୭୨ ପ୍ରତିଶତ ତଥା ୨୪ ହଜାର ହେକ୍ଟର ଜଙ୍ଗଲ ଜମି ରହିଥିବା ବେଳେ ୨୪୦ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇସାରିଛି। ଫଳସ୍ବରୂପ ଭୂତଳ ଜଳ ଭୟଙ୍କର ଭାବେ ହ୍ରାସ ପାଇଛି। ଝରଣା ଶୁଖିଯାଇଛି। ମୃତ୍ତିକା କ୍ଷୟ ହୋଇଛି। ବନ୍ୟଜନ୍ତୁ ଜନବସତି ମଧ୍ୟଙ୍କୁ ବାରମ୍ବାର ପଶି ଆସୁଛନ୍ତି। ଜୈବ ବିବିଧତା ନଷ୍ଟ ହୋଇଛି। ପରିବର୍ତିତ ପରିବେଶ ଯୋଗୁଁ ‌ଲୋକେ ରୋଗମୁଖରେ ପଡ଼ିଲେଣି। ମାତ୍ର ଏ ଦିଗରେ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ଏସବୁ ଅଭିଯୋଗ ଆଣି ଉଦ୍‌ବେଗ ପ୍ରକାଶ କରିଛି ‘କେନ୍ଦୁଝର ନାଗରିକ ମଞ୍ଚ’ ଓ ‘ଆଗାମୀ ଓଡ଼ିଶା’।

ଆଜି କେଶରୀ ହୋଟେଲ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି ତଥା ବାୟୁସେନାର ପୂର୍ବତନ ୱିଙ୍ଗ୍‌ କମାଣ୍ଡର କିରଣ ଶଙ୍କର ସାହୁ କହିଛନ୍ତି, ସରକାର ୧୬ଟି ମାଇନ୍ସ ବ୍ଲକ୍‌କୁ ଲିଜ୍‌ ସୂତ୍ରରେ ଦେବା ପାଇଁ ଗତ ୪ ତାରିଖରେ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ସେଥିମଧ୍ୟରୁ ୯ଟି ଅଞ୍ଚଳ ସବୁଜ ବନାନୀରେ ଭରପୂର। ଯଦିଓ ଏହି ୯ଟି ଅଞ୍ଚଳ ମଧ୍ୟରେ କେତେ ଜଙ୍ଗଲ ଜମି ଯାଉଛି ଏପର୍ଯ୍ୟନ୍ତ ଖବର ମିଳିନାହିଁ, କିନ୍ତୁ କେନ୍ଦୁଝରର ଜୈବ ପର୍ଯ୍ୟଟନ ଅଞ୍ଚଳ କୁଣ୍ଡାଧାର ଜଳପ୍ରପାତ ତଥା ଗୋଲାକାର ଇନ୍ଦ୍ରଧନୁ ଆକର୍ଷଣ ସାଜୁଥିବା ଅଞ୍ଚଳରେ ଏହି ଲିଜ୍‌ ଦିଆଯିବ ବୋଲି ସୂଚନା ମିଳିଛି। ତେଣୁ କେନ୍ଦୁଝରର ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ୯ଟି ଅଞ୍ଚଳକୁ ଲୌହ ଖଣିଜ ଉତ୍ତୋଳନ ପାଇଁ ସରକାର ଲିଜ୍‌ ସୂତ୍ରରେ ନଦେବାକୁ ଦାବି କରିଛି କେନ୍ଦୁଝର ନାଗରିକ ମଞ୍ଚ। ଶ୍ରୀ ସାହୁଙ୍କ କହିବା ମୁତାବକ, ସରକାରୀ ହିସାବ ଅନୁସାରେ କେନ୍ଦୁଝରରେ ଆଉ ୨୫୫୫ ମିଲିୟନ ଟନ୍‌ ଲୌହ ଖଣିଜ ମହଜୁଦ ଅଛି। ପ୍ରତିବର୍ଷ ଏଠାରୁ ୧୪୭ ମିଲିୟନ ଟନ୍‌ ‌ଉତ୍ତୋଳନ ହେଉଛି। ଯଦି ଏପରି ଚାଲୁ ରୁହେ ଆଉ ୧୮ରୁ ୨୦ ବର୍ଷ ମଧ୍ୟରେ ଏହି ଲୌହ ଖଣିଜ ଶେଷ ହୋଇଯିବ। ଅର୍ଥାତ ଆଗାମୀ ପିଢ଼ି ପାଇଁ କିଛି ବି ମହଜୁଦ ରହିବ ନାହିଁ। ଉତ୍ତରପିଢ଼ି ଏକ ଭୟଙ୍କର ପରିବେଶ ମଧ୍ୟରେ କାଳାତିପାତ କରିବ। ଏପରି ଦିନ ଆସିବ ଦିନେ କେନ୍ଦୁଝର ମରୁଭୂମିରେ ପରିଣତ ହୋଇଯିବ।

ଶ୍ରୀ ସାହୁଙ୍କ କହିବା ମୁତାବକ, ପର୍ଯ୍ୟାବରଣ ଆଇନ୍‌ ଉଲ୍ଲଂଘନ କରିବାରୁ ସୁପ୍ରି‌ମକୋର୍ଟର ନିର୍ଦେଶ ମୁତାବକ, ଖଣି ଉତ୍ତୋଳନକାରୀଙ୍କ ଉପରେ ୧୭୫୭୬ କୋଟି ଟଙ୍କାର ଜରିମାନା କରାଯାଇଥିଲା। ଏହି ଜରିମାନାକୁ ନେଇ ଓଏମ୍‌ବିଏଡିସି ନାମକ ଏକ ପାଣ୍ଠି ଗଠନ କରାଯାଇଥିଲା। ଏପର୍ଯ୍ୟନ୍ତ ଜରିମାନା ବାବଦକୁ ୧୫ ହଜାର କୋଟି ଟଙ୍କା ଆଦାୟ ମଧ୍ୟ ସରିଛି। ଏହି ଅର୍ଥରାଶି ମଧ୍ୟରେ କେବଳ କେନ୍ଦୁଝରର ଅଂଶ ହେଉଛି ୧୦ ହଜାର ୬୬୦ କୋଟି ଟଙ୍କା। ସେହିଭଳି କେନ୍ଦୁଝରର ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫଣ୍ଡ୍‌ (ଡିଏଫ୍‌ଏମ୍‌)ରେ ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ମିନେରାଲ୍‌ ରୟାଲ୍‌ଟି ବାବଦରେ ୩୬୩୨ କୋଟି ଟଙ୍କା ମହଜୁଦ ଅଛି। ଅଥଚ ଏହି ପାଣ୍ଠିକୁ କେନ୍ଦୁଝର ନିମନ୍ତେ ଯେପରି ଖର୍ଚ କରାଯିବା କଥା ତାହା ହେଉନାହିଁ। ବରଂ ଏହାକୁ ସରକାର ହାତପାଣ୍ଠି ଭାବେ ଖର୍ଚ କରୁଛନ୍ତି। ସେହିଭଳି କାମ୍ପା ପାଣ୍ଠିରେ ବନୀକରଣ ଓ ବନ୍ୟଜନ୍ତୁ ସଂରକ୍ଷଣ ନେଇ ବ୍ୟବସ୍ଥା ରହିଥିବା ବେଳେ ତାହା ମଧ୍ୟ ଏ ଅଞ୍ଚଳରେ ଠିକ୍‌ ଭାବେ କରାଯାଉ ନାହିଁ ବୋଲି ସେ କହିଛନ୍ତି। ତେଣୁ ସରକାର ଏ ବାବଦରେ କେନ୍ଦୁଝରର ବାସିନ୍ଦାମାନଙ୍କ ସହ ଆଲୋଚନା ଭିତ୍ତିରେ ଆଗେଇବାକୁ କେନ୍ଦୁଝର ନାଗରିକ ମଞ୍ଚ ଓ ଆଗାମୀ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଏନେଇ ରାଜ୍ୟପାଳଙ୍କୁ ଗତ ୧ ତାରିଖରେ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଆଗାମୀ ଓଡ଼ିଶାର ଆବାହକ ସୁଦର୍ଶନ ଦାସ, ବିଜୟ କୁମାର ପ୍ରଧାନ, ମଞ୍ଚର ରଘୁନାଥ ମିଶ୍ର, ବଳଭଦ୍ର ସାହୁ, ରାମନାରାୟଣ ଦ୍ବିବେଦୀ, ହିମାଂଶୁ କୁଅଁର, ନିର୍ମଳ ଚନ୍ଦ୍ର ବେହେରା ଓ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର