ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : ଥାନା ସମ୍ମୁଖରେ ଶବ ରଖି ଟାୟାର ଜାଳି ବିକ୍ଷୋଭ

ଭାପୁର : ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଜଙ୍ଗଲ ମଧ୍ୟକୁ ଡାକିନେଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ ଏବଂ ମୃତ ନାବାଳିକା ପରିବାରକୁ ନ୍ୟାୟ ଦାବି କରି ଫତେଗଡ଼ ଥାନା ସମ୍ମୁଖରେ ଶବ ରଖି ରାସ୍ତା ମଝିରେ ଟାୟାର ଜାଳି ଗ୍ରାମବାସୀ ବିକ୍ଷୋଭ କରିଛନ୍ତି।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ଗ୍ରାମର ବିଶ୍ବନାଥ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ୧୪ ବର୍ଷର ନାବାଳିକା ଝିଅ ଦଶମ ଶ୍ରେଣୀରେ ପଢ଼ୁଥିଲା। ଗତକାଲି ଦିନ ପ୍ରାୟ ୧ଟା ସମୟରେ କେହି ହତ୍ୟା କରି ଜଙ୍ଗଲରେ ପକାଇ ଦେଇଥିବା ଝିଅର ମା’ ଜାଣିବାକୁ ପାଇଥିଲେ। ଏହି ଖବର ପାଇ ସେମାନେ ଘଟଣାସ୍ଥଳକୁ ଯିବା ପୂର୍ବରୁ ଗ୍ରାମର କିଛି ଲୋକ ତୁରନ୍ତ ଝିଅକୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ। କରୋନା ଭୟରେ ଭାପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଝିଅକୁ ନଛୁଇଁ ଖୋର୍ଦ୍ଧା ମେଡିକାଲ୍‌କୁ ସ୍ଥାନାନ୍ତର କରିଥିଲେ। ଖୋର୍ଦ୍ଧାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖୋର୍ଦ୍ଧା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମାତ୍ର, ହତ୍ୟାକାରୀକୁ ଗିରଫ ଦାବିରେ ପରିବାର ଲୋକେ ମୃତଦେହକୁ ଧରି ଫତେଗଡ଼ ଥାନା ସମ୍ମୁଖରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଦୁଇ ଘଣ୍ଟା ରାସ୍ତା ଅବରୋଧ ପରେ ଫତେଗଡ଼ ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ପରିବାର ଲୋକଙ୍କୁ ଡାକି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ବିହୀତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ‌

ସୂଚନା ଅନୁସାରେ, ଫତେଗଡ଼ ଗ୍ରାମର ସଦା ଦାସଙ୍କ ପୁଅ ନାଲୁ ଦାସ ପ୍ରତୀକ୍ଷାଙ୍କୁ ଜଙ୍ଗଲକୁ ଡାକିନେଇ ଏଭଳି କାଣ୍ତ ଭିଆଇଥିବା ବିଶ୍ବନାଥ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ହଳ ଚପଲ, ଓଢ଼ଣୀ ଏବଂ ଥଣ୍ତା ପାନୀୟ ବୋତଲ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର