ଜାତୀୟ ଏସ୍‌ଟି କମିସନ ସଦସ୍ୟଙ୍କୁ ବିରୋଧ : ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ

କେନ୍ଦୁଝର: ଜାତୀୟ ଅନୁସୂଚିତ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ତୀବ୍ର ବିରୋଧ କରାଯାଇଛି। ଦୁଇଦିନ ତଳେ ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡାଠାରେ ଶ୍ରୀ ନାୟକଙ୍କୁ ବିରୋଧ କରାଯାଇଥିବା ବେଳେ ଆଜି ସମାନ ଢଙ୍ଗରେ ବାଂଶପାଳ ବ୍ଲକ୍‌ କାଞ୍ଜିପାଣିଠାରେ ତାଙ୍କୁ ବିରୋଧ କରାଯାଇଛି। ଦୀର୍ଘ ସମୟ ଧରି ରାସ୍ତାରେ ଅଟକାଇ ଦିଆଯିବାରୁ  ଶ୍ରୀ ନାଏକଙ୍କୁ ଏକ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଛି। ଘଟଣା ସଂପର୍କରେ ଶ୍ରୀ ନାୟକ  ଜାତୀୟ ଜନଜାତି କମିସନ ଅଧ୍ୟକ୍ଷଙ୍କୁ ଅବଗତ କରିବା ପରେ କମିସନ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ତେଲକୋଇ ବ୍ଲକ୍‌ ବଳଭଦ୍ରପୁରଠାରେ ଅଭିଯୋଗ ଶୁଣାଣି କର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିପାଇଁ ଆଜି କମିସନ ସଦସ୍ୟ ଶ୍ରୀ ନାୟକ ପ୍ରୋଟୋକଲ ଗାଡ଼ି ସହିତ ବଳଭଦ୍ରପୁର ଅଭିମୁଖେ ଯାଉଥିଲେ। ବାଟରେ କାଞ୍ଜିପାଣିଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ପୁରୁଷ ଓ ମହିଳା ତାଙ୍କୁ ବିରୋଧ କରିଥିଲେ। ଆଦିବାସୀଙ୍କ ବିକାଶ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରି ତାଙ୍କୁ ଘେରି ଯାଇଥିଲେ।

ଅନ୍ୟପକ୍ଷରେ ଆଜି ଅନନ୍ତ ନାଏକଙ୍କୁ ଶୁଆକାଟି-କାଞ୍ଜିପାଣି ରାସ୍ତାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଦ୍ବାରା ବିରୋଧ କରାଯିବ ବୋଲି ସୋସିଆଲ ମିଡିଆରେ ଏକ ସୂଚନା ଘୂରି ବୁଲୁଥିଲା। ଏହି ସୂଚନା ପାଇବା ପରେ ପୁଲିସ ପକ୍ଷରୁ କମିସନ ସଦସ୍ୟଙ୍କୁ ସୁରକ୍ଷିତ ଭାବେ କାର୍ଯ୍ୟକ୍ରମସ୍ଥଳକୁ ନିଆଯିବା କଥା। ମାତ୍ର ତାହା ହୋଇ ନଥିଲା। କାଞ୍ଜିପାଣିଠାରେ କିଛି ସମୟ ପାଇଁ ଲୋକେ ହୋହାଲ୍ଲା କରିବା ସହ ଗୋ ବ୍ୟାକ୍‌ ନାରା ଦେଇଥିଲେ। ବିରୋଧ ସତ୍ତ୍ବେ ଶ୍ରୀ ନାଏକ ବଳଭଦ୍ରପୁର ଯାଇଥିଲେ। ସେଠାରେ ଶହଶହ ଆଦିବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ଓରିଆଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବାର ଥିଲା। ସମୟ ଅଭାବରୁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡାଠାରେ ଶ୍ରୀ ନାୟକଙ୍କୁ କିଛି ପୁରୁଷ ଓ ମହିଳା ବିରୋଧ କରିଥିଲେ।

ଏ ସମ୍ପର୍କରେ ଶ୍ରୀ ନାଏକ କହିଛନ୍ତି, ଜାତୀୟ ଅନୁସୂଚିତ ଜନଜାତି କମିସନ ଏକ ସାମ୍ବିଧାନିକ ସଂସ୍ଥା। ଏହାର ସଦସ୍ୟଙ୍କୁ ସୁରକ୍ଷା ଦେବା ଦାୟିତ୍ବ ପ୍ରଶାସନର। ପ୍ରଶାସନ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏନେଇ ସେ ଜାତୀୟ ଜନଜାତି କମିସନ ଅଧ୍ୟକ୍ଷଙ୍କୁ ଅବଗତ କରଯାଇଛି। କମିସନ ଅଧ୍ୟକ୍ଷ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ‌କ’ଣ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିସନ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାତୀୟ ଅନୁସୂଚିତ ଜନଜାତି କମିସନ ଏକାଧିକ ମାମଲାର ଶୁଣାଣି କରି ପୂର୍ବରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ କାଠଗଡ଼ାକୁ ଟାଣିଛନ୍ତି। ଏମିତିକି ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଗିରଫ କରିବା ପାଇଁ ଡିଜିଙ୍କୁ ନିର୍ଦେଶ ଦେବା ସହିତ ଏକାଧିକ ମାମଲାର ଶୁଣାଣି ବେଳେ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଛି। ଏଭଳି ସ୍ଥିତିରେ ଜନଜାତି କମିସନ୍‌ ସଦସ୍ୟଙ୍କୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ଏକ ଭିନ୍ନ ସଂକେତ ଦେଉଛି।

ସମ୍ବନ୍ଧିତ ଖବର