ନୂଆ ଅବକାରୀ ନୀତିକୁ ବିରୋଧ : ମନ୍ତ୍ରୀଙ୍କ ବାସଭବନ ଆଗରେ ‘ମୋନା’ର ପ୍ରତିବାଦ

ଭୁବନେଶ୍ବର : ନୂଆ ଅବକାରୀ ନୀତିକୁ ବିରୋଧ କରି ଆଜି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) ପକ୍ଷରୁ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଅନୁଷ୍ଠାନର ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ବହୁ ସଦସ୍ୟ ମୁହଁରେ କଳାପଟି ବାନ୍ଧି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ମଦ ବନ୍ଦ ପାଇଁ ସାରା ରାଜ୍ୟରେ ବିଭିନ୍ନ ଅନୁଷ୍ଠାନ ବିରୋଧ କରିଆସୁଥିଲେ ହେଁ ସରକାର ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ଏଥର ବର୍ଷିକିଆ ଅବକାରୀ ନୀତି ବଦଳରେ ୪ ମାସିଆ ନୀତି ନିର୍ଦ୍ଧାରଣ କରିଛନ୍ତି। ଅର୍ଥାତ୍ ମଦ ଦୋକାନଗୁଡ଼ିକର ଲାଇସେନସ ନବୀକରଣ ୨୦୧୯ ଏପ୍ରିଲରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୪ ମାସ ପାଇଁ କରାଯାଇଛି। ସରକାର ତୁରନ୍ତ ନୂଆ ନୀତିକୁ ପ୍ରତ୍ୟାହାର କରି ମଦକୁ ନିଷିଦ୍ଧ ଘୋଷଣା କରନ୍ତୁ ବୋଲି ଅନୁଷ୍ଠାନ ଦାବି କରିଛି। ନଚେତ୍‌ ଆସନ୍ତା ନିର୍ବାଚନରେ ଏହାର ଉଚିତ୍‌ ଜବାବ ଦିଆଯିବ ବୋଲି ଅନୁଷ୍ଠାନ ଚେତାବନୀ ଦେଇଛି। ଆଜିର ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଜୟ ସ୍ବାଇଁ, ମଳୟ ତ୍ରିପାଠୀ, ସତ୍ୟବ୍ରତ ପୃଷ୍ଟି, ଅପର୍ଣ୍ଣା ନାୟକ, କନକଲତା ଭଞ୍ଜ, ପ୍ରୀତି ନାୟକ, ରମାକାନ୍ତ ମଣ୍ଡଳ, ଖଗେଶ୍ବର ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର