ବଲାଙ୍ଗୀର: ସଦର ବ୍ଲକ୍ ଖୁଜେନପାଲି ପଞ୍ଚାୟତ ଅଂଚଳରେ ଏସ୍‌ଏଚ୍‌ଜି ମହିଳାମାନେ ଦେଶୀ ମଦଭାଟି ଖୋଲିବାକୁ ବିରୋଧ କରିଛନ୍ତି। ଏନେଇ ସେମାନେ ଅବକାରୀ ବିଭାଗର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଖୁଜେନପାଲି ପଞ୍ଚାୟତ ଅଞ୍ଚଳରେ ଏକ ଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ନୋଟିସ ଦେଇଛି। ଖୁଜେନପାଲି ଅଞ୍ଚଳରେ ହେବାକୁ ଥିବା ଏହି ଦୋକାନକୁ ଏସଏଚ୍‌ଜି ମହିଳାମାନେ ବିରୋଧ କରିଛନ୍ତି। ମଦ ଦୋକାନ ଖୋଲିଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଅଭିଯୋଗ କରିଛନ୍ତି।

Advertisment

ମଦ ଦୋକାନ ଖୋଲିବା ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଖେଳପଡ଼ିଆ ଥିବା ବେଳେ ସେମାନଙ୍କ ଉପରେ ବିପଦ ସୃଷ୍ଟି ହୋଇପାରେ। ସେହି ଅଞ୍ଚଳରେ ଅନେକ ଗୋଦାମ ଘର ରହିଛି ଯେଉଁଠାରେ ଅନେକ ଶ୍ରମିକଙ୍କ ପରିବାର ନିର୍ଭର କରୁଛନ୍ତି। ଖୁଜେନପାଲି ପଞ୍ଚାୟତ ଅଧୀନରେ ଥିବା କାଲସାଏପାଲି, ବାଗଭାଡ଼ି, ଖୁଜେନପାଲି, କୁଦେଇପାଲି ଆଦି ସମସ୍ତ ଗାଁର ଏସ୍‌ଏଚ୍‌ଜି ସଂଗଠନମାନେ ଲିଖିତ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ମଦଭାଟି ଖୋଲିଲେ ଜୋରଦାର ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।