ପଞ୍ଚାୟତର ମନମୁଖୀ କାର୍ଯ୍ୟକୁ ବିରୋଧ କରି କଂଗ୍ରେସର ସମ୍ମିଳନୀ

ବୈପାରିଗୁଡା: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମ ପଞ୍ଚାୟତରେ ଚାଲିଥିବା ମନମୁଖୀ କାର୍ଯ୍ୟକୁ ବିରୋଧ କରି କଂଗ୍ରେସ ଆଜି ଏକ ସମ୍ମିଳନୀର ଆୟୋଜନ କରିଛି। ପଞ୍ଚାୟତ କଂଗ୍ରେସ ସଭାପତି ମାଧବ ଖରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ କଂଗ୍ରେସ ସଭାପତି ଗୈାରଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି ତଥା ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ବିଶେଷ କରି ରାସ୍ତା ନିର୍ମାଣ, ଆବାସ ଗୃହ,ମହାବନ୍ଧ ଭଳି କାର୍ଯ୍ୟରେ ଦୁର୍ନୀତି କରାଯାଉଥିବା ନେଇ ଅଭିଯୋଗ ଅଣାଯାଇଥିଲା। ଏକ ନିର୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନଙ୍କୁ ସୁହାଇଲା ଭଳି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ସହ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ଏପରିକି ଗୋଟିଏ ମହାବନ୍ଧକୁ ଏକାଧିକ ବାର ଖୋଳିବା, ନିର୍ଦ୍ଧିଷ୍ଟ ରାସ୍ତାକୁ ବାରଂବାର ନିର୍ମାଣ କରିବା ଭଳି କାର୍ଯ୍ୟ କରାଯାଉଛି ବୋଲି କଂଗ୍ରେସ ସଭାପତି ଗୈାରଚନ୍ଦ୍ର ପାତ୍ର ଅଭିଯୋଗ ଆଣିଛନ୍ତି। ଆଗାମୀ ଦିନରେ କଂଗ୍ରେସ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ସମସ୍ତ ପ୍ରକାର ଦୁର୍ନୀତିର ପର୍ଦ୍ଦାଫାଶ କରିବ ବୋଲି ଆଜିର ସମ୍ମିଳନୀରେ ପ୍ରସ୍ତାବ ଆଗତ କରାଯାଇଥିଲା। ଆଜିର ଏହି ସମ୍ମିଳନୀରେ ବରିଷ୍ଠ କଂଗ୍ରେସ କର୍ମୀ ସୀମାଞ୍ଚଳ ପାତ୍ର,ସଦାନନ୍ଦ ପାତ୍ର,ଏମ୍. ଅଶୋକ କୁମାର,ବିଜୟ ପାଙ୍ଗି,ଏମ୍. ବାଲାଜୀ ରାଓଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର