ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଗ୍ରାମ ନିକଟ ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍‌ଇଜେଡ୍) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ ଫର୍ଟିଲାଇଜର୍ସ’ ପ୍ରକଳ୍ପ ନିର୍ମାଣକୁ ନେଇ ଆଜି ବି ମୁହଁାମୁହିଁ ପରିସ୍ଥିତି ସୃଷ୍ଟିହୋଇଛି। ଗୋଟିଏପଟେ ଆନ୍ଦୋଳନକାରୀ ଗ୍ରାମବାସୀ ଏବଂ ଅନ୍ୟପଟେ କମ୍ପାନି କର୍ତ୍ତୃପକ୍ଷ ଓ ପୁଲିସ। ଗତକାଲି ଭଳି ଆଜି ବି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଉଭୟ ପକ୍ଷରୁ କେତେଜଣ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ କାଳେ କିଛି ଅଘଟଣ ଘଟାଇବେ, ସେହି ଭୟରେ ସେଠାରେ କାମ କରୁଥିବା କମ୍ପାନିର କର୍ମଚାରୀମାନେ ପାଳୟନ କରିଥିବା ଦେଖିବାକୁ ମିଳିଛି। ଫଳରେ, ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କାମ ପୁଣି ବନ୍ଦ ରଖାଯାଇଛି।

Advertisment

ସୂଚନା ଅନୁସ‌ାରେ, ଆଜି କାଳିପଲ୍ଲୀ ଗ୍ରାମ୍ୟ କମିଟିର ସଭାପତି ବି.ମୋହନ ପାତ୍ରଙ୍କ ନେତୃତ୍ବରେ ଗ୍ରାମର ମହିଳା, ପୁରୁଷ ଓ ଯୁବକମାନେ ପ୍ରଥମେ ଏକାଠି ହୋଇଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ପ୍ରକଳ୍ପ ନିର୍ମାଣସ୍ଥଳରେ ପହଞ୍ଚି ପ୍ରତିବାଦ କରି ଜୋର୍‌ଜବରଦସ୍ତ କାମ ବନ୍ଦ କରିବାକୁ ପ୍ରୟାସ କରିଥିଲେ। ସେମାନଙ୍କୁ ପ୍ରତିରୋଧ କରିବାକୁ ପୁଲିସ ସଜାଗ ହୋଇଯାଇଥିଲା। ଫଳରେ, ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍ ଓ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲା ବେଳେ ଅନେକ ଗ୍ରାମବାସୀ ମଧ୍ୟ ଆହତ ହୋଇଥିଲେ। ଏହାପରେ ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କାମ ପୁଣି ବନ୍ଦ ରଖାଯାଇଛି।

ଆନ୍ଦୋଳନକାରୀ ଗ୍ରାମବାସୀ କହିଛନ୍ତି, ଟାଟା କମ୍ପାନି ସାର କାରଖାନା ନାମରେ ବିଷାକ୍ତ କାରଖାନା କରିବାକୁ ଯୋଜନା କରୁଛି। କିନ୍ତୁ, ଏଥିପାଇଁ ପୂର୍ବରୁ ଜନଶୁଣାଣି ହୋଇନି। ଜିଲ୍ଲା ପ୍ରଶାସନର ମିଥ୍ୟା ରିପୋର୍ଟକୁ ଆଧାର କରି କାରଖାନା ତିଆରି ପାଇଁ ପରିବେଶ ମଞ୍ଜୁରୀ ଅଣାଯାଇଛି। ଏହାକୁ ବିରୋଧ କରାଯିବ। ଅନ୍ୟପକ୍ଷ‌ରେ, ଅତିରିକ୍ତ ଏସ୍‌.ପି.ପିକେ.ଦଳାଇ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରକଳ୍ପ ନିର୍ମାଣସ୍ଥଳରୁ ୫୦ ମିଟର ଦୂରତ୍ବରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବ ସେଥିପାଇଁ ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ, ପ୍ରକଳ୍ପର ରୂପ‌ରେଖ ବିଷୟରେ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ଲାଗି ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।