ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ବଡ଼ଘୁମୁରୀ ପଞ୍ଚାୟତ ଅହମଦପୁର ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରାଯିବା ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରି ଧାରଣା ଦେଇଛନ୍ତି। ଏଠାରେ ଥିବା ତିନିଜଣ ଶିକ୍ଷକଙ୍କୁ ରାତିଅଧିଆ ବଦଳି କରି ଅନ୍ୟ ଏକ ବିଦ୍ୟାଳୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି।

ଏହି ବିଦ୍ୟାଳୟରେ ପୂର୍ବରୁ ୩୨ ଜଣ ଛାତ୍ରଛାତ୍ରୀ ଥିଲେ। ରାଜ୍ୟ ସରକାର ୨୦୧୯ ରେ କରିଥିବା ନିୟମ ଅନୁସାରେ ଏକକିଲୋମିଟର ପରିଧି ମଧ୍ୟରେ ୪୦ରୁ କମ୍‌ ପିଲା ଥିବା ବିଦ୍ୟାଳୟକୁ ନିକଟସ୍ଥ ଉତ୍ତମ ଭିତ୍ତିଭୂମି ଥିବା ବିଦ୍ୟାଳୟରେ ମିଶ୍ରଣ କରାଯିବ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅହମଦପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ନିୟମ ବିଷୟରେ ଗ୍ରାମବାସୀ ଜାଣିବା ପରେ ସେମାନେ ଉଦ୍ୟମ କରି ନୂଆ ପିଲାଙ୍କ ନାମ ଲେଖାଇ ଛାତ୍ରଛାତ୍ରୀ ସଂଖ୍ୟା ୪୫ରେ ପହଞ୍ଚାଇଥିଲେ। ଏହାପରେ ବିଦ୍ୟାଳୟ ଚାଲୁ ରହିଥିଲା। କିଛି ଦିନ ପୂର୍ବରୁ ବଡ଼ଚଣା ବିଡିଓ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରି ୪୫ ଛାତ୍ରଛାତ୍ରୀ ପାଠ ପଢୁଥିବା​ ଦେଖିଯାଇଥିଲେ।

ଅନ୍ୟପଟେ ମିଶ୍ରକୁ ବିରୋଧ କରି ତଥା ଗାଁ ବିଦ୍ୟାଳୟର ସୁରକ୍ଷା ପାଇଁ ଗ୍ରାମବାସୀ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇ ୧୮୫୮୦/୨୦ରେ ଏକ ମାମଲା ଦାଏର କରିଥିଲେ। ଏହା ଏବେ ବିଚାରାଧୀନ ରହିଛି। ଏହାର ତଦନ୍ତ କରି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଗଣଶିକ୍ଷା ବିଭାଗକୁ ଅଦାଲତ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ଦୁଇ ମାସ ପୂର୍ବରୁ ବନ୍ଦ ହୋଇଥିବା ବିଦ୍ୟାଳୟର ତଦନ୍ତ କରି ନିଷ୍ପତ୍ତି ନେବାକୁ ବିଡିଓ, ତହସିଲଦାର ଓ ସିଡିପିଓଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲା। ଦୁଇମାସ ମଧ୍ୟରେ ଏହି କମିଟି କୌଣସି ତଦନ୍ତ କରିନଥିବା ନେଇ ଧାରଣାରତ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏପରିକି ଆଜି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମବାସୀ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା। ପୂର୍ବଗଠିତ ଯାଞ୍ଚ କମିଟି ଆସନ୍ତାକାଲି ବିଦ୍ୟାଳୟକୁ ଆସି ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ।

ସମ୍ବନ୍ଧିତ ଖବର