‘ବନ୍ଦେ ଉତ୍କଳ ଜନନୀ’ର ବିରୂପ ସ୍ବରକୁ ବିରୋଧ: ଅଫିସିଆଲ୍‌ ଭର୍ସନ ଜାରି ପାଇଁ ହାଇକୋର୍ଟରେ ମାମଲା

ଦାବିପତ୍ର ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବଙ୍କୁ ନିର୍ଦ୍ଦେଶ

କଟକ : ୨୦୨୦ ଜୁନ୍ ୭ରେ ‘ବନ୍ଦେ ଉତ୍କଳ ଜନନୀକୁ ଓଡ଼ିଶା ସରକାର ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀକୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଦ୍ବାରା ପ୍ରସ୍ତୁତ ଶୈଳୀରେ ଗାନ କରାଯାଉଛି। କିନ୍ତୁ ବହୁ ସମୟରେ ଏହି ରାଜ୍ୟ ସଂଗୀତକୁ ପ୍ରକୃତ ସ୍ବରରେ ବୋଲା ଯାଉନାହିଁ। ବନ୍ଦେ ଉତ୍କଳ ଜନନୀକୁ ବିଭିନ୍ନ ଭାବେ ବିକୃତ କରି ବୋଲାଯାଉଛି। ଏହାଦ୍ବାରା ରାଜ୍ୟ ସଂଗୀତର ମର୍ଯାଦା ହାନି ହେଉଛି ଓ ଓଡ଼ିଶାବାସୀଙ୍କ ମନରେ ମଧ୍ୟ ଆଘାତ ଲାଗୁଛି। ରାଜ୍ୟ ସଂଗୀତର ‘ଅଫିସିଆଲ୍‌ ଭର୍ସନ୍‌ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯିବା ସହିତ ବ୍ୟାପକ ଭାବେ ଏହାର ପ୍ରଚାର ପ୍ରସାର କରାଯାଉ ବୋଲି ଦର୍ଶାଇ ଦାୟର ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ପ୍ରସଂଗରେ ଆବେଦନକାରୀ ଦାବିପତ୍ର ପ୍ରଦାନ କରି ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏହାପରେ ମଧ୍ୟ ବନ୍ଦେ ଉତ୍କଳ ଜନନୀର ଅଫିସିଆଲ୍‌ ଭର୍ସନ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇ ନାହିଁ। ଫଳରେ ରାଜ୍ୟ ସଂଗୀତକୁ ବିରୂପ ଶୈଳୀରେ କେତେକ କାର୍ଯ୍ୟକ୍ରମରେ ଓ ଗଣମାଧ୍ୟମରେ ଉପସ୍ଥାପନ ଜାରି ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଦାବିପତ୍ର ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନର୍ଦ୍ଦେଶ ଦେଇଛନ୍ତି। ଦାବିପତ୍ର ଉପରେ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ମେ ପହିଲା ସୁଦ୍ଧା ଅବଗତ କରାଯିବ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ହାଇକୋର୍ଟ ଆଇନଜୀବୀ ଡକ୍ଟର କହ୍ନେୟାଲାଲ ଶର୍ମାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା। କାନ୍ତକବିଙ୍କ ଦ୍ବାରା ରଚିତ ଏହି ଗୀତକୁ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମ ଥର ପାଇଁ ଗାନ କରାଯାଇଥିଲା। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଏହା ସମଗ୍ର ରାଜ୍ୟରେ ରାଜ୍ୟ ଗାନ ଭାବେ ଆଦୃତି ଲାଭ କରିଥିଲା। ପରବର୍ତ୍ତୀ ସମୟରେ ବିଧାନସଭାରେ ଏହି ପ୍ରସଂଗରେ ଆଲୋଚନା କରାଯାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଶୈଳୀକୁ ଅନୁମୋଦନ ନେଇ ସଂସ୍କୃତି ବିଭାଗ ନିଷ୍ପତ୍ତି ହୋଇଥିଲା। ବାଳକୃଷ୍ଣ ଦାଶଙ୍କ ଦ୍ବାରା ପ୍ରସ୍ତୁତ ଶୈଳୀରେ ବିନା ବାଦ୍ୟଯନ୍ତ୍ରରେ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ୍ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଓଡ଼ିଶାରେ କୋଭିଡ-୧୯ ମହାମାରୀ ସମୟରେ ବିଭିନ୍ନ ସେବା କାର୍ଯ୍ୟ କରୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କ ସମ୍ମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକମାନେ ୨୦୨୦ ମେ ୩୦ ସନ୍ଧ୍ୟା ୫.୩୦ ଏହି ଗୀତ ଗାଇଥିଲେ। ୨୦୨୦ ଜୁନ ୭ରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ କେତେକ ଟିଭି ଚ୍ୟାନେଲ୍‌ରେ ବନ୍ଦେ ଉତ୍କଳ ଜନନୀକୁ ବିୃକତ କରି ପ୍ରସାରଣ କରାଯାଉଛି। ସେହିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ବିରୂପ କରି ବୋଲାଯାଉଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅଫିସିଆଲ୍‌ ଭର୍ସନ୍‌ ଜାରି କରାଯାଇ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆବେଦନକାରୀ ଯୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର