ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବଣିକ ସଂଘ ଲାଞ୍ଜିଗଡ଼ ବିଡିଓଙ୍କ ନା’ରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ବିଶ୍ୱନାଥପୁର ବଣିକ ସଂଘକୁ ସଭାପତି ପ୍ରମୋଦ ଗୋଏଲଙ୍କ ମାଧ୍ୟମରେ ଉତ୍ସବ ପାଇଁ ସମସ୍ତ ଦୋକାନୀଠାରୁ ଆଦାୟ କରି ୫୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏହା ପରେ ସଭାପତି ଶ୍ରୀ ଗୋଏଲ ଦୋକାନୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ମତ ଅନୁସାରେ ମାଗିଥିବା ଚାନ୍ଦା ଦେଇପାରିବୁ ନାହିଁ ବୋଲି ବିଡିଓଙ୍କୁ ରୋକଠୋକ ମନା କରିଥିଲେ।
ଏଥିରେ ବିଡିଓ ଶ୍ରୀ ମିଶ୍ର ରାଗିଯାଇ ସଭାପତିଙ୍କୁ ଫୋନ ମାଧ୍ୟମରେ ସମସ୍ତ ଦୋକାନୀ ଉପରେ ଚଢ଼ଉ କରାଯିବ ବୋଲି ଧମକ ଦେଇଥିବା ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ବିଶ୍ୱନାଥପୁର ବଣିକ ସଙ୍ଘ ପକ୍ଷରୁ ଏହି ଘଟଣାର ପ୍ରତିବାଦ କରି ପ୍ରତ୍ୟେକ ଦୋକାନ ବଜାର ବନ୍ଦ କରାଯାଇଥିଲା। ବିଶ୍ୱନାଥପୁର ସହରରେ ଏକ ପ୍ରତିବାଦ ରାଲି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିରଞ୍ଜନ ରାଉତ, ବାଳଗୋବିନ୍ଦ ସାହୁ, ରାଜୀବ ପୃଷ୍ଟି, ଆଲୋକ ଦେହୁରୀ, ମାନସ ରଞ୍ଜନ ଘଡ଼େଇ, ନରେନ୍ଦ୍ର ବେହେରା, କାମେଶ୍ୱର ଜେନା, ବସନ୍ତ ସାହୁଙ୍କ ନେତୃତ୍ବରେ ସଂଘ ସଦସ୍ୟ ବିଶ୍ୱନାଥପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଯାଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।