ମାଳିପର୍ବତ ବକ୍ସାଇଟ ଖଣି ଜନଶୁଣାଣିକୁ ବିରୋଧ: କେନ୍ଦ୍ର ସରକାରଙ୍କ ଜବାବ ଦାଖଲ

ପରିବେଶ ମଞ୍ଜୁରି ପ୍ରସଙ୍ଗରେ ଅନ୍ତରୀଣ ଅଙ୍କୁଶ ଜାରି

କଟକ : ମାଳିପର୍ବତ ବକ୍ସାଇଟ ଖଣିକୁ ନେଇ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଦାୟର ମାମଲାରେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଜବାବ ଦାଖଲ କରିଛି। କେନ୍ଦ୍ର ସରକାରଙ୍କ ଜବାବର କପି ଆବେଦନକାରୀ ଓ ଅନ୍ୟପକ୍ଷଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାସହିତ ଡିସେମ୍ବର ୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ୨୦୨୨, ଫେବ୍ରୁଆରି ୮ରେ ପରିବେଶ ମଞ୍ଜୁରି ପ୍ରସଙ୍ଗରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିରଞ୍ଜନ ଖିଲ୍ଲୋ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଫେବ୍ରୁଆରି ୮ରେ ହାଇକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରି ଜନଶୁଣାଣିରେ ନିୟମ ଉଲ୍ଲଂଘନ ନେଇ ରହିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରିବେଶ ମଞ୍ଜୁରି ପ୍ରଦାନ ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ।

ମାମଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେରାପୁଟ ଜିଲ୍ଲାପାଳ ଏଡିଏମ, ଏସପି, କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର