ପୁରୀ: ଶ୍ରୀମନ୍ଦିରରେ ନିଷିଦ୍ଧ ରାବିଡ଼ି ବିକ୍ରିକୁ ନେଇ ହଣାକଟା ହୋଇଛି। ଆନନ୍ଦବଜାର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପଢ଼ିଆରୀଙ୍କୁ ଜଣେ ଅଣସେବାୟତ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରରୁ ଡ୍ୟୁଟି ସାରି ପଶ୍ଚିମଦ୍ବାର ଦେଇ ବାହାରି ଘରକୁ ଫେରୁଥିବା ସମୟରେ ପରିକ୍ରମା ପ୍ରକଳ୍ପ ଭିତରେ ଶ୍ରୀ ପଢ଼ିଆରୀଙ୍କୁ ଏଭଳି ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଗଣମାଧ୍ୟମକୁ କହିଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଘଟଣାକୁ ଗୁରୁତ୍ବର ସହ ନେଇ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଆଜି ସନ୍ଧ୍ୟାରେ ଡ. ପାଢ଼ୀ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତ ଶ୍ରୀ ପଢ଼ିଆରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଆନନ୍ଦବଜାର ଶୃଙ୍ଖଳା ବ୍ୟବସ୍ଥାର ଅସନ୍ତୋଷ ଓ ରାବିଡ଼ି ବିକ୍ରି ପାଇଁ ବାରଣ ଆକ୍ରମଣର ପ୍ରମୁଖ କାରଣ ବୋଲି ସେବାୟତମାନେ କହିଛନ୍ତି।

Advertisment

ଆକ୍ରମଣର ଶିକାର ଶ୍ରୀ ପଢ଼ିଆରୀ କହିଛନ୍ତି, ଆନନ୍ଦବଜାର ପରିସରରେ ଅଭିଯୁକ୍ତ ଅଣସେବାୟତ ଜବରଦସ୍ତ ରାବିଡ଼ି ବିକ୍ରି କରୁଥିଲା। ସେ ରାବିଡ଼ି ବିକ୍ରି କରିବାକୁ ବାରଣ କରିଥିଲେ। ଏହି ରାଗ ରଖି ଆଜି ସନ୍ଧ୍ୟାରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଶ୍ରୀ ପଢ଼ିଆରୀଙ୍କ ଡାହାଣ କଚଟି, କହୁଣୀ, କାନ୍ଧ ଏବଂ ପିଠିରେ ଆଘାତ ଲାଗିଛି। ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେଠାରେ ଥିବା ଲୋକମାନେ ଆମ୍ବୁଲାନ୍ସ ଯୋଗେ ଶ୍ରୀ ପଢ଼ିଆରୀଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣଥିଲେ। ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର କହିଛନ୍ତି, ଯେହେତୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି, ଆଘାତ ହାଡ଼କୁ ସ୍ପର୍ଶ କରିଛି କି ନାହିଁ ଜାଣିବା ପାଇଁ ଏକ୍ସରେ କରାଯାଇଥିଲା। ତାଙ୍କ ହାତରେ ଗଭୀର କ୍ଷତ ରହିଥିବା ହେତୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସିଂହଦ୍ବାର ଥାନା ପୁଲିସ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ କହିଛନ୍ତି।