ଭୁବନେଶ୍ବର: ସଂଖ୍ୟା ବଳର ଅହଙ୍କାରରେ ଆତ୍ମ ବିଭୋର ହୋଇ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଗଣତନ୍ତ୍ରର ମନ୍ଦିରରେ ବୁଲଡୋଜର୍ ଚଳାଉଛନ୍ତି। ବିଜେପିର ଗଣତନ୍ତ୍ର ଓ ଗାଣତାନ୍ତ୍ରିକ ପକ୍ରିୟା ପ୍ରତି ସାମାନ୍ୟତମ ବିଶ୍ୱାସ ନାହିଁ ବୋଲି ଆଜି ପ୍ରମାଣିତ ହୋଇଛି। ବର୍ତ୍ତମାନସୁଦ୍ଧା ୧୪୧ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇସାରିଲାଣି। ଏହି ନିଲମ୍ବନ ବିରୋଧରେ ‘ଇଣ୍ଡିଆ ମେଣ୍ଟ, ଓଡ଼ିଶା’ର ୧୨ଟି ରାଜନୈତିକ ଦଳ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସ୍ମାରପତ୍ର ପ୍ରଦାନ କରିଛନ୍ତି।
ନେତୃବୃନ୍ଦଙ୍କ କହିବା କଥା, ଶୀତ ଅଧିବେଶନରେ ସଂସଦ ଭିତରକୁ ପଶି କିଛି ଯୁବକ ନାରାବାଜି କରିବା ଓ ଏହି ଘଟଣାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ଗୃହମନ୍ତ୍ରୀଙ୍କର ବକ୍ତବ୍ୟ ଦାବି କରିଥିଲେ। ଏହି ପ୍ରଶ୍ନ ପଚାରିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଗଣତନ୍ତ୍ରରେ ବିରୋଧୀଙ୍କ ପ୍ରଶ୍ନ କରିବାର ଅଧିକାର ଅଛି। କେନ୍ଦ୍ରର ବିଜେପି ସରକାର ଏତେ ବଡ଼ ସାଂଘାତିକ ଘଟଣାକୁ ହାଲୁକା ଭାବେ ନେବା ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଯେଉଁ ସାଂସଦମାନେ ପ୍ରଶ୍ନ ପଚାରୁଛନ୍ତି ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଉଛି। ସ୍ୱାଧୀନ ଭାରତ ବର୍ଷର ଏହା ହେଉଛି ପ୍ରଥମ ଘଟଣା, ଯେଉଁଠାରେ ସମସ୍ତ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଉଛି।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସମେତ ୧୨ଟି ରାଜନୈତିକ ଦଳ ସିପିଆଇଏମ, ସିପିଆଇ, ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସମତାକ୍ରାନ୍ତି, ସମାଜବାଦୀ ପାର୍ଟି, ସିପିଆଇଏମଏଲ (ଲିବରସେନ), ଆରଜେଡି, ଏନସିପି, ଆମ୍ ଆଦମୀ, ଜେଡିୟୁ, ଜେଏମଏମ ପାର୍ଟିର ନେତୃବୃନ୍ଦମାନେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖାର ସଂଯୋଜକ ପ୍ରସାଦ ହରିଚନ୍ଦନ, ଜନାର୍ଦ୍ଦନ ପତି, ଅଭୟ ସାହୁ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ପଞ୍ଚାନନ କାନୁନ୍ଗୋ, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଭାତ ସାମନ୍ତରାୟ, ରବି ବେହେରା, ମହେନ୍ଦ୍ର ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ଅବଦୁଲ କଲାମ, ହେମନ୍ତ କୁମାର, ବିକ୍ରମ ସ୍ୱାଇଁ, ଜୟସୂର୍ଯ୍ୟ କାନୁନଗୋ, ତରୁଣ ମିଶ୍ର, ରଜନୀ ମହାନ୍ତି, ମିତ୍ରଭାନୁ ମହାପାତ୍ର, ଦୀପକ ମହାପାତ୍ର, ନରୋତ୍ତମ ନାୟକ, ମିହିର ଆଚାର୍ଯ୍ୟ ଓ ଦେବାଶିଷ ଭୂୟାଁ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।