ବାରିପଦା/ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର କାଳବୈଶାଖୀଜନିତ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏଥିସହ ବାଙ୍ଗିରିପୋଷି ବିଧାୟିକାଙ୍କୁ ମଧ୍ୟ ପ୍ରବଳ ବିରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ସେମାନଙ୍କ ପଥ ଅବରୋଧ କରାଯିବା ସହ ମନ୍ତ୍ରୀଙ୍କ କାର୍କେଡ୍ରେ ସାମିଲ ଏକ ଗାଡ଼ି ଉପରକୁ ଢେଲାମାଡ଼ କରାଯାଇଛି। ଏଥିରେ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଏହା ରାଜନୈତିକ ଷଡ୍ଯନ୍ତ୍ର ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତେବେ ବିରୋଧ ସତ୍ତ୍ବେ କାଳବୈଶାଖୀ ଦ୍ବାରା ପ୍ରଭାବିତ ଅଞ୍ଚଳ ବୁଲି ସିଧାସଳଖ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ରାଜସ୍ବ ମନ୍ତ୍ରୀ। ଏଥିସହ ୨୪ ଘଣ୍ଟା ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଅନ୍ଲାଇନ୍ରେ ସରକାରୀ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ଣ ୧୦ଟାରେ ଜାମଦାପାଳ ଆଦର୍ଶ ବିଦ୍ୟାଳୟ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଥିଲେ। ଏହାପରେ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ସହ କାର୍ ଯୋଗେ ବଣକାଟି ପଞ୍ଚାୟତର ସରାସପୋଷି ଗ୍ରାମକୁ ଯାଇଥିଲେ। ସେଠାରୁ ମହୁଲବାରେଲି ଯିବା ବେଳେ ରାସ୍ତାରେ ବାଉଁଶ ପକାଇ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ଏଯାଏଁ ସେମାନଙ୍କ କ୍ଷୟକ୍ଷତିର ଆକଳନ କରାଯାଉନି କି କ୍ଷତିପୂରଣ ମିଳୁନି। ଏପରିକି ପଲିଥିନ୍ ଖଣ୍ଡେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଲୋକେ। ତେବେ ବିଜେପି ନେତା ସୁଗୁଦା ମୁର୍ମୁ, ଉପସ୍ଥିତ ଦଳୀୟ କର୍ମୀ ଓ ପୁଲିସ କର୍ମଚାରୀମାନେ ବିକ୍ଷୋଭକାରୀଙ୍କୁ ହଟାଇଥିଲେ। ସେଠାରୁ କାରକେଡ୍ ଆଗକୁ ବଢ଼ିବା ପରେ କିଛିବାଟ ପରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁଙ୍କ ଗାଡ଼ିକୁ ଅଟକାଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉପସ୍ଥିତ ପୁଲିସ କର୍ମଚାରୀ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ଶେଷରେ ଏକ ସୁରକ୍ଷିତ ବାଟ ଦେଇ ମନ୍ତ୍ରୀଙ୍କୁ ହେଲିପ୍ୟାଡ୍ ଅଣାଯାଇଥଲା। ସେଠାରୁ ସେ ବିଶୋଇ ବ୍ଲକ୍ ପରିଦର୍ଶନରେ ଚାଲି ଯାଇଥିଲେ। କିନ୍ତୁ ମନ୍ତ୍ରୀଙ୍କୁ ହେଲିପ୍ୟାଡ୍ରେ ଛାଡ଼ି ଫେରୁଥିବା ଏକ ଗାଡ଼ି ଉପରେ ଉତ୍ତ୍ୟକ୍ତ ଲୋକେ ଢେଲାମାଡ଼ କାରି କାଚ ଭାଙ୍ଗି ଦେଇଥିଲେ।
ଏଥିରେ କନେଷ୍ଟବଳ ଧ୍ରୁବଚରଣ ସାହୁ ଆହତ ହୋଇଛନ୍ତି। ଖବର ପାଇ ୧ ପ୍ଲାଟୁନ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଆହତ କନେଷ୍ଟବଳଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଛି। ଏନେଇ ବାଙ୍ଗିରିପୋଷି ଥାନା ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି ଯେ; ଅଫ୍ ଡ୍ୟୁଟିରେ ଥିବା ଏକ କାର୍ (ଓଡି-୧୧ଏସି-୪୭୮୬) ଉପରକୁ ଢେଲାମାଡ଼ ଘଟଣାରେ ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ। ସେ କହିଛନ୍ତି, ରାଜନୈତିକ ରୁଟି ସେକିବା ପାଇଁ କିଛି ଲୋକ ଏପରି କରିଛନ୍ତି। ଅସୁବିଧା ସମୟରେ ସମସ୍ତେ ଏକାଠି ହେବା କଥା। କିପରି ଲୋକଙ୍କ ପାଖରେ ସହାୟତା ପହଞ୍ଚିବ, ତାହା ଦେଖିବା କଥା। ମାତ୍ର କିଛିଲୋକ ରାଜନୈତିକ ସ୍ବାର୍ଥ ପାଇଁ ଏଭଳି ଷଡ୍ଯନ୍ତ୍ର କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/24/PhXvfXfQpeLTimkRqa7D.jpg)