ଅଦିନିଆ ରଥଯାତ୍ରା ବିରୋଧରେ ତେଜୁଛି ଅସନ୍ତୋଷ : ସଂସ୍କୃତି ମନ୍ତ୍ରୀ କହିଲେ ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରଘାତ, ଥାନାରେ ଏତଲା

ଭୁବନେଶ୍ବର: ଅଦିନରେ ମୁମ୍ବାଇରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ କରାଇଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ଦଳମତ ନିର୍ବିଶେଷରେ ସବୁ ରାଜନୈତକ ଦଳ ଏହାକୁ ନିନ୍ଦା କରିବା ସହ ଓଡ଼ିଶାର ସ୍ବାଭିମାନ ଓ ପରମ୍ପରା ପ୍ରତି ଏହା ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସେ କହିଛନ୍ତି ଏହି ପ୍ରସଙ୍ଗ ସରକାରଙ୍କ ଜ୍ଞାତସାରରେ ଅଛି । ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରଘାତ । ତେବେ ବାହାର ରାଜ୍ୟ ଓ ବାହାର ଦେଶ ଓଡ଼ିଶା ସରକାରଙ୍କ ଆଇନ ଭିତରେ ବନ୍ଧା ନୁହନ୍ତି । କିନ୍ତୁ ଏ ନେଇ ସରକାର ଆଇନ ସଂଗତ ପଦକ୍ଷେପ ନିଆଯିବ । ତେଣେ ଏହା ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଫେବ୍ରୁଅ‌ାରି ପହିଲା ଦିନ  ସଚେତନ ନାଗରିକ ମଂଚ ପକ୍ଷରୁ ସିଂହଦ୍ବାର ଥାନ‌ାରେ ଏତଲା ଦିଆଯାଇଥିଲା। ନାଗରିକ ମଂଚ ପକ୍ଷରୁ ସଭାପତି ତଥା ଆଇନଜୀବୀ ପ୍ରସନ୍ନ ଦାଶ ଏହି ଏତଲା ଦେଇଛନ୍ତି।

ଦଳମତ ନିର୍ବିଶେଷରେ ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ବିରୋଧ କରାଯାଇଛି । ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି ଏହାକୁସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଆବଶ୍ୟକ । ବର୍ତ୍ତମାନ ଇସକନକୁ ତାଗିଦ କରିବା ସମୟ ଆସିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଅଦିନରେ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଂଶ କରିବାକୁ ଉଦ୍ୟମ କରାଯାଉଛି। ବାରମ୍ବାର ଏପରି କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ମାମଲା ଦାୟର କରିବା ଦରକାର। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ଜଗନ୍ନାଥଙ୍କୁ ପୂଜା କରିବାରେ କାହାର ଆପତ୍ତି ନାହିଁ। କିନ୍ତୁ ଅସମୟରେ ରଥଯାତ୍ରା କରିବା ପରମ୍ପରା ବିରୋଧୀ। ମହାପ୍ରଭୂଙ୍କ ନୀତିକାନ୍ତିକୁ ନେଇ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଯେପରି ଖେଳ ଖେଳୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ଜେନା ଦାବି କରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଅଦିନିଆ ରଥଯାତ୍ରା ଜଗନ୍ନାଥଙ୍କ ପ୍ରତି ଅପମାନ ସଦୃଶ। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ସ୍ବତନ୍ତ୍ର ଆଇନ ଆଣିବାକୁ ସେ ପରାମର୍ଶ ଦେଇଥିଲେ। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରାର ନୀତିନିୟମ କଣ ତାକୁ ଚାରିଆଡ଼େ ପ୍ରଚାର କରିବାକୁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ। ଫଳରେ ଲୋକେ ଏପରି ଅଦିନିଆ ରଥଯାତ୍ରାକୁ ଗ୍ରହଣ କରିବାକୁ ଆଗ୍ରହ ଦେଖାଇବେ ନାହିଁ।

ଗତ ସପ୍ତାହରେ ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥ ଯାତ୍ରା । ଇସକନ ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରିବୁଲିଥିଲା। ତେବେ ଏହି ଅଦିନିଆ ରଥଯାତ୍ରା ପ୍ରଚଳିତ ରୀତିନୀତି , ଶ୍ରୀମନ୍ଦିର ବିଧି ପରମ୍ପରାରର ବିରୋଧି ହୋଇଥିବାରୁକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ସମ୍ବନ୍ଧିତ ଖବର