ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ଆସନ୍ତା ୨୭ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶା ପ୍ରଭାରୀ ଭାବେ ଦିଲ୍ଲୀରେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ଲଲ୍ଲୁ ଆଜି ବରିଷ୍ଠ ନେତୃବର୍ଗଙ୍କ ଏକ ବୈଠକ ଡାକିଥିଲେ। ଓଡ଼ିଶାରେ କେଉଁ ପ୍ରସଙ୍ଗକୁ ନେଇ କଂଗ୍ରେସ ଲଢ଼େଇ କରିବ ଓ ସଂଗଠନକୁ ତୃଣମୂଳସ୍ତରରେ କିଭଳି ମଜଭୁତ କରାଯିବ ତାହା ଉପରେ ଆଲୋଚନା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏକାଧିକ ପ୍ରସଙ୍ଗ ଉପରେ ନେତୃବୃନ୍ଦ ନିଜର ମତ ରଖିଥିଲେ। କିଛି ବରିଷ୍ଠ ସଦସ୍ୟ ରାଜ୍ୟରେ ଖଣି ଚୋରାଚାଲାଣକୁ ପ୍ରସଙ୍ଗ କରିବା ଉପରେ ଜୋର ଦେଇଥିଲେ। ମାତ୍ର ସରକାରଙ୍କୁ ଘେରିବା ଲାଗି କଂଗ୍ରେସ ନିକଟରେ ଲମ୍ବା ସମୟ ଥିବାରୁ ଏବେ କେବଳ ମହିଳା ସୁରକ୍ଷାକୁ ଦଳ ପ୍ରସଙ୍ଗ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ଓଡ଼ିଶାରେ ଗତ ୨୫ବର୍ଷ ଧରି କଂଗ୍ରେସ କ୍ଷମତାକୁ ନ ଆସିବା ପଛରେ ଏଆଇସିସି ଦାୟୀ ବୋଲି ମଧ୍ୟ ବୈଠକରେ ମତ ଉଠିଛି। କିଛି ବର୍ଷ ପୂର୍ବରୁ ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଫେରିବା ନେଇ ଏକପ୍ରକାର ମାହୋଲ ସୃଷ୍ଟି ହୋଇସାରିଥିଲା। ମାତ୍ର ଯେଉଁଭଳି ଭାବେ ଏଆଇସିସି ପକ୍ଷରୁ ମନମୁଖୀ ଭାବେ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରାଗଲା ତାହା ଦଳକୁ କ୍ଷତି ପହଞ୍ଚାଇଥିଲା। ଏହାସହ ବିଧାୟକମାନେ ମିଳିତ ଭାବେ ବିଧାୟକ ଦଳ ନେତାଙ୍କ ନେତୃତ୍ବରେ ବିଧାନସଭାରେ ଲୋକଙ୍କ ସ୍ବର ଉତ୍ତୋଳନ କରିବା ଲାଗି ବୈଠକରେ କୁହାଯାଇଛି।
ଏବେ କେବଳ ମହିଳା ସୁରକ୍ଷାକୁ ରାଜ୍ୟବ୍ୟାପୀ ପ୍ରସଙ୍ଗ କରିବ ଦଳ
ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ରାଜ୍ୟରେ ନାରୀଙ୍କ ପ୍ରତି ଅତ୍ୟାଚାର ଓ ଶିଶୁଙ୍କ ଯୌନ ଶୋଷଣ ସୀମା ଲଂଘିଛି। କଂଗ୍ରେସ ଏହାକୁ ଗୁରୁତ୍ବର ସହ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛି। ବିଧାନସଭା ଭିତରେ କଂଗ୍ରେସ ଦଳର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଯିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଛି। ବିଧାୟକ ଶ୍ରୀ ବାହିନୀପତିଙ୍କୁ ୭ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯିବା ନିନ୍ଦନୀୟ। ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁ କହିଥିଲେ, ବିଜେପି ଶାସନରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ପ୍ରଭାବୀ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ। ଓଡ଼ିଶା ଲୋକଙ୍କ ସ୍ବର କଂଗ୍ରେସ ହେବ ବୋଲି ସେ କହିଥିଳେ। ପ୍ରାରମ୍ଭରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ଆଜିର ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନ୍ଗୋ, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ତାରାପ୍ରସାଦ ବାହିନୀପତି, ସି.ଏସ୍ ରାଜନ ଏକ୍କା, ରମେଶ ଜେନା, ଅଶୋକ ଦାସ, ପ୍ରଫୁଲ୍ଲ ପ୍ରଧାନ, କାଡ୍ରାକ ଆପାଲସ୍ବାମୀ, ସାଗର ଦାସ, ପବିତ୍ରା ସାଉଁଟା, ନୀଳମାଧବ ହିକକ୍କା, ସୋଫିଆ ଫିର୍ଦୋସ, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗୋ, ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ସରସ୍ବତୀ ହେମ୍ବ୍ରମ୍, ନକୁଳ ନାୟକ, ରାଧାକାନ୍ତ ଦିଗାଲ, ସକୁନ୍ତଳା ଲାଗୁରି, ବିଜୟଲକ୍ଷ୍ମୀ ସାହୁ, ବଳଭଦ୍ର ମାଝୀ, ନବଜ୍ୟୋତି ପଟ୍ଟନାୟକ, ବିଶ୍ବଜିତ ଦାସ, ସସ୍ମିତା ବେହେରା, ମାନସ ଚୌଧୁରୀ, ସୁଦର୍ଶନ ଦାସ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅମୀୟ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।