ଟ୍ରେନ୍‌ ଚଳାଚଳ ଦାବିରେ ଭଦ୍ରକ ରେଳ ଷ୍ଟେସନରେ ବିକ୍ଷୋଭ

ଭଦ୍ରକ: କରୋନା କଟକଣା ପାଇଁ ବନ୍ଦ ହୋଇ ରହିଥିବା ବିଭିନ୍ନ ପାସେଞ୍ଜର ଟ୍ରେନ ଯଥା ଖଡଗପୁର- ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନ, ହାୱଡା- ପୁରୀ ପାସେଞ୍ଜର ଟ୍ରେନ ଅବିଳମ୍ବେ ଚାଲୁ କରିବା, ଅନ୍ୟାୟ ଭାବେ ସମସ୍ତ ପାସେଞ୍ଜର ଟ୍ରେନ୍‌ରେ ନିଆଯାଉଥିବା ଏକ୍ସପ୍ରେସ ଭଡାକୁ ପ୍ରତ୍ୟାହାର କରି ପାସେଞ୍ଜର ଭଡା ଲାଗୁ କରିବା ଆଦି ଦାବିରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା କଟକଣା ଉଠିଯାଇଥିଲେ ବି ପୂର୍ବପରି ଟ୍ରେନ ଚଳାଚଳ କରୁନାହିଁ। ଏ ନେଇ ଖୋର୍ଦ୍ଧା ମଣ୍ଡଳ ରେଳ ପରିଚାଳକଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଷ୍ଟେସନ ପରିଚାଳକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଭଦ୍ରକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଅଧିକାଂଶ ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସ ଯଥା ସାନ୍ତରାଗାଛି-ତିରୁପତି ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ, ହାୱଡା- ଯଶୋବନ୍ତପୁର ଏସି ସୁପରଫାଷ୍ଟ ଏକ୍ସପ୍ରେସ, ହାୱଡା-ସତ୍ୟସାଇ ପ୍ରଶାନ୍ତି ନିଳୟମ୍ ଏକ୍ସପ୍ରେସ, ହାୱଡା – ପୁଡୁଚେରୀ ସୁପରଫାଷ୍ଟ ଏକ୍ସପ୍ରେସ, ଖଡଗପୁର – ଭିଲ୍ଲୁପୁରମ୍ ସୁପରଫାଷ୍ଟ ଏକ୍ସପ୍ରେସ, ପୁରୁଲିଆ-ଭିଲ୍ଲୁପୁରମ୍ ଏକ୍ସପ୍ରେସ, ନିୟୁ ଜଲପାଇଗୁଡି-ଚେନ୍ନାଇ ଏକ୍ସପ୍ରେସ, କାମାକ୍ଷା – ଯଶୋବନ୍ତପୁର ଏସି ଏକ୍ସପ୍ରେସର ଭଦ୍ରକ ଷ୍ଟେସନରେ ରହଣି କରିବାକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏହି ସ୍ମାରକପତ୍ରରେ ଦର୍ଶାଯାଇଛି। ଦାବୀ ପୂରଣ ନ ହେଲେ ଆସନ୍ତା ୭ଦିନ ପରେ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ବୃହତ ଗଣଧାରଣା ଦିଆଯିବାକୁ ସିପିଆଇ(ଏମ) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ଆନ୍ଦୋଳନରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ନିରଞ୍ଜନ ପାଣି, ନବକିଶୋର ବେହେରା, ଚନ୍ଦ୍ରମୋହନ ହେମ୍ଭ୍ରମ, ରମେଶ ବାରିକ, ଛାତ୍ରନେତା ଷ୍ଟାଲିନ ଟିଟନ ଲେଙ୍କା, ଯୁବନେତା ଦୀପକ ଦାସ, ମୁକ୍ତିକାନ୍ତ ବାରିକ  ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର