ଇପିଏଫ ପେନସନଧାରୀଙ୍କ ବିକ୍ଷୋଭ, ୯ ହଜାର ଟଙ୍କା ପେନସନ ଦାବି

କେନ୍ଦୁଝର : ଇପିଏଫ୍ ପେନସନ ଭୋଗୀଙ୍କ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା କରାଯାଉ। ମହଙ୍ଗାଭତ୍ତା ପ୍ରଦାନ କରାଯାଉ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଏବଂ ମାଗଣା ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉ।

ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଗୁରୁବାର ଦିନ କେନ୍ଦୁଝରର ଇପିଏଫ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏଭଳି ତିନି ଦଫା ସମ୍ବଳିତ ଏକ ଦାବିପତ୍ର କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭବିଷ୍ୟନିଧି କମିସନରଙ୍କ ଜରିଆରେ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ରାଜ୍ୟରେ ଥିବା ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଓ ସମଗ୍ର ଦେଶର ୭୦ ଲକ୍ଷରୁ ଅଧିକ ପେନସନ ଭୋଗୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଶୁଣାଇଛନ୍ତି।

ଆଜିର ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଇପିଏଫ୍ ପେନସନଭୋଗୀ ସ୍ଥାନୀୟ ଧୋବାଡିହା ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଭବିଷ୍ୟନିଧି କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ । ସେଠାରେ କେନ୍ଦୁଝର ଜିଲ୍ଲା ସଭାପତି ମକରଧ୍ୱଜ ନାୟକ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସଭାର ଆୟୋଜନ ହୋଇଥିଲା। ରାଜ୍ୟ ସଂଗଠନ ସଂପାଦକ କୃଷ୍ଣଚନ୍ଦ୍ର ମହାନ୍ତି, ରାଜ୍ୟ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, କେନ୍ଦୁଝର ଜିଲ୍ଲା ସଂପାଦକ ତଥା ରାଜ୍ୟ ସଂଗଠନ ଉପସଭାପତି ରମେଶ ଚନ୍ଦ୍ର ଘଡେଇ, ଉପସଭାପତି ଶ୍ୟାମସୁନ୍ଦର ନାୟକ, ଯୁଗ୍ମ ସଂପାଦକ ଭାବଗ୍ରାହୀ ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉର୍ବଶୀ ମିଶ୍ର, ଅଳକା ବାରିକ, ସମର ସିଂ, ବାସୁଦେବ ସାହୁ, ଭଟକିଶୋର ମହାନ୍ତ, ନବକିଶୋର ସାହୁ, ବ୍ରଜକିଶୋର ଓଝା, ପ୍ରମୋଦ ସ୍ୱାଇଁ ଓ ମହମ୍ମଦ ଗାଲିବ ହୋସେନ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। କେନ୍ଦୁଝର ଜିଲ୍ଲା ସଂପାଦକ ରମେଶ ଚନ୍ଦ୍ର ଘଡ଼େଇ ଇପିଏଫ୍ ପେନସନ ଭୋଗୀ ତଥା ବରିଷ୍ଠ ନାଗରିକଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନିନ୍ଦା କରିଥିଲେ। କେନ୍ଦୁଝର ଜିଲ୍ଲା ଶାଖାର ଉପସଭାପତି ଶ୍ୟାମସୁନ୍ଦର ନାୟକ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର