କଲମା ଗେଟ୍‌ ଖୋଲିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଦାବି : କନକତୋରାରେ ସତ୍ୟାଗ୍ରହ ଓ ରାସ୍ତାରୋକ

ଝାରସୁଗୁଡ଼ା/କନକତୋରା : ମହାନଦୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କିମ୍ବା ସରକାରଙ୍କ ନୁହେଁ। ଏହା ପ୍ରକୃତି ଓ ଜୀବଜଗତର। ଏହା ଉପରେ ସମସ୍ତଙ୍କ ଅଧିକାର ଅଛି ବୋଲି ଓଡ଼ିଶା ଉପାନ୍ତ ତଥା ଝାରସୁଗୁଡ଼ା ଜିଲ୍ଲା ସୀମା କନକତୋରାଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି। ବୁଧବାର ଏଠାରେ ଅନୁଷ୍ଠିତ ‘କଲ୍‌ମା ସତ୍ୟାଗ୍ରହ’ ଅବସରରେ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବେଆଇନ ଭାବରେ ବ୍ୟାରେଜ ଓ ବନ୍ଧ ନିର୍ମାଣ କରିଛନ୍ତି ବୋଲି କହିଥିଲେ।

କଲ୍‌ମା ଗେଟ୍‌ ଖୋଲିବା ଦାବିରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଛତିଶଗଡ଼ ସରକାରଙ୍କୁ ଦିଆଯାଇଥିବା ପତ୍ରର କୌଣସି ଉତ୍ତର ମିଳି ନଥିବାରୁ ପୂର୍ବ ଘୋଷଣା ମୁତାବକ କନକତୋରା ଠାରେ କଲ୍‌ମା ସତ୍ୟାଗ୍ରହ ଓ ଛତିଶଗଡ଼ ସୀମାରେ ୪୯ ନମ୍ବର ଜାତୀୟ ରାଜପଥ ପ୍ରାୟ ୩ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଏହି ଅବସରରେ ଆନ୍ଦୋଳନର ସଂଯୋଜକ ବିଜୟ ପ୍ରଧାନ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ପ୍ରବକ୍ତା ପ୍ରସନ୍ନ ବିଷୋୟୀ, ଚିଲିକା ଆନ୍ଦୋଳନର ନେତା ପରେଶ ଜାଲି, ପ୍ରଭାସ ସିଂ ରାଉତ, ଅରୁଣ ଜେନା, ଅକ୍ଷୟ ଜେନା, ପଞ୍ଚାନନ ସେଠୀ ପ୍ରମୁଖ ସଭା ପରିଚାଳନା କରିଥିଲେ। କନକତୋରା ସରପଞ୍ଚ ଡ଼ଲି କଲିଆରି, କିଶୋରଚନ୍ଦ୍ର ମେହେର, ବ୍ରଜମୋହନ କଲାରି, ପ୍ୟାରେଲାଲ ନାୟକ, ସୂରଜ ମେହେର, ଗୁରୁଦେବ ଭୋଇ, ଜୀବର୍ଦ୍ଧନ କଲାରି, ମାଧବ ଲୋହରା, ଡମ୍ବରୁଧର ସା, କେତ ଖମାରୀ, ଅଯୋଧ୍ୟା ଚଇନି ଏବଂ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର ସଦସ୍ୟ ଏଥିରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର