ଜିନ୍ଦଲ ଷ୍ଟେନଲେସ ଫାଟକ ଆଗରେ ଧାରଣା ଜାରି, ଏଡିଏମ ଅଫିସରେ ଆଲୋଚନା ବିଫଳ 

ଦାନଗଦୀ : ଜିନ୍ଦଲ କାରଖାନା ସମ୍ମୁଖରେ ଚାଲିଥିବା ଗଣଧାରଣା ଗୁରୁବାର ଦିନ ତୃତୀୟ ଦିନରେ ପହଞ୍ଚିଛି। ବିସ୍ଥାପିତଙ୍କ ଦାବି ସମ୍ପର୍କରେ ଆଲୋଚନା କରିବାକୁ ଗୁରୁବାର ଦିନ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଲୋଚନା କରାଯାଇଥିଲେ ହେଁ ତାହା ବିଫଳ ହୋଇଛି। ଗୁରୁବାର ଅପରାହ୍‌ଣରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଉପସ୍ଥିତିରେ ଦାନଗଦୀ ତହସିଲଦାର ନମ୍ରତା ମୋଦି, କଳିଙ୍ଗନଗର ଅତିରିକ୍ତ ଏସପି ଏସ୍‌. ଟପ୍ପୋ, ଯଖପୁରା ଥାନାଧିକାରୀ ଜଗଦୀଶ କର ପ୍ରଭୃତି ଜିନ୍ଦଲ କାରଖାନାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କାରଖାନା ପକ୍ଷରୁ ୧୦ ଦିନ ସମୟ ମଗାଯାଇ ସମାଧାନ କରିବାକୁ କୁହାଯାଇଥିଲେ ହେଁ ବିସ୍ଥାପିତ ପ୍ରତିନିଧିମାନେ ଏଥିରେ ରାଜି ହୋଇ ନଥିଲେ। ବିସ୍ଥାପିତଙ୍କ ପକ୍ଷରୁ ସେକ ରିଆଜଉଦ୍ଦିନ, ସସ୍ମିତା ପାତ୍ର, ଜୀବନ ପାତ୍ର ପ୍ରଭୃତି ଆଲୋଚନା କରିଥିଲେ। ଜିନ୍ଦଲ ଫାଟକ ଆଗରେ ଆନ୍ଦୋଳନ ଜାରି ରହିଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ମୁତାବକ କାରଖାନା ପାଇଁ ଜମି ଦେଇଥିବା ବଂଶୀପୁର, କୁଳପଶି, ହୁଡ଼ିସାହି, ଖଡ଼ିଗାତିଆ ଓ ସିଆରିଆ ଗ୍ରାମର ୨୫୦ ରୁ ଅଧିକ ବିସ୍ଥାପିତ ପରିବାର ଦାନଗଦି ବ୍ଲକ ତ୍ରିଜଙ୍ଗା ଓ କଣ୍ଟିପୁର କଲୋନିରେ ରହୁଛନ୍ତି। ସେମାନଙ୍କ ଦାବି ସଂପର୍କରେ ବାରମ୍ବାର ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି। ଏଣୁ ଗତ ସପ୍ତାହ ରେ ୩ ଦଫା ଦାବି ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ଆନ୍ଦୋଳନକୁ  ଓହ୍ଲାଇଥିବା ବିସ୍ଥାପିତମାନେ କହିଛନ୍ତି।

ସେମାନଙ୍କ ଦାବି ମୁତାବକ କାରଖାନା ପାଇଁ ବିସ୍ଥାପିତ ଓ ଜମିହରାଙ୍କ ପରିବାରକୁ ଯୋଗ୍ୟତା ଆଧାରରେ କାରଖାନାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ବିସ୍ଥାପିତ ପରିବାର ଲୋକେ ଚାକିରି ସମୟ ମଧ୍ୟରେ ଯଦି ମୃତ୍ୟୁ ହୁଏ କିମ୍ବା ଶାରୀରିକ ଅକ୍ଷମ ହୁଅନ୍ତି, ସେହି ପରିବାରରୁ ଅନ୍ୟ ଜଣେ ସଦସ୍ୟଙ୍କୁ ନିଯୁକ୍ତି, ବିସ୍ଥାପିତ ଓ ଜମିହରା ପରିବାର ସଦସ୍ୟଙ୍କୁ ପୁରୁଷାନୁକ୍ରମିକ ଭାବେ ସ୍ଥାୟୀ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର