ବ୍ୟାସନଗର: ୫ ଦଫା ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଧାରଣା ୩ ଦିନରେ ପହଞ୍ଚିଛି। ହେଲେ ଏସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା ନକରିବାରୁ ଆସନ୍ତା ୧୯ ତାରିଖରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ନାଗରିକ କମିଟି ସଭାପତି ଡ. ହେମନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଏପ୍ରିଲ ୧୯ ତାରିଖ ବୁଧବାର ସମ୍ପୂର୍ଣ୍ଣ ବ୍ୟାସନଗର ବନ୍ଦ ଓ ଅର୍ଥନୈତିକ ଅବରୋଧ କରାଯିବ। ଉକ୍ତ ବନ୍ଦ ଓ ଅର୍ଥନୈତିକ ଅବରୋଧକୁ ନାଗରିକ କମିଟି, ସହରର ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ, ସହିଦ ଭଗତ ସିଂହ ଯୁବକ ସଂଘ, ଓକିଲ ସଂଘ, କୋରେଇ ସଂଗ୍ରାମ ସମିତି, ନେତାଜୀ ସ୍ମୃତି ସଂସଦ, ସିଆଇଟିୟୁ, ସିଭିଲ ସୋସାଇଟି, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଗଣ ସଂଗଠନଙ୍କ ସମେତ ସମସ୍ତ ରାଜନୈତିକ ଦଳ ସମର୍ଥନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଗଣଧାରଣା ଯେପରି ଚାଲୁଛି ସେହିପରି ୧୯ ତାରିଖ ଯାଏ ଚାଲିବ ବୋଲି ନାଗରିକ କମିଟି ସମ୍ପାଦକ ଦୁର୍ଯ୍ୟୋଧନ ରାଉତ ପ୍ରକାଶ କରିଛନ୍ତି। ବୈଠକରେ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଡ. ଦୁଷ୍ମନ୍ତ କୁମାର ନାୟକ, ପୂର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ରାଜେନ୍ଦ୍ର ବିଶ୍ବାଳ, ଚନ୍ଦ୍ରମଣି ସାମଲ, ବିବେକାନନ୍ଦ ମହାନ୍ତି, ନରେନ୍ଦ୍ର ଜେନା, ହୃଷୀକେଶ ସାହୁ, ସଦାଶିବ ଦାସ, ସାମ୍ବାଦିକ ବାବୁରାମ ଜେନା, ଦେବେନ୍ଦ୍ରନାଥ ପାଣିଗ୍ରାହୀ, ଜ୍ଞାନରଞ୍ଜନ ରାଉତ, ସରୋଜ କୁମାର ଦେ, ଦାମୋଦର ପଣ୍ଡା, ଅଭିରାମ ରାଉତ, ଅଭିରାମ ସାହୁ, ସୁରେଶ ସାହୁ, ରଘୁନାଥ ବେହେରା, ରମେଶ ବିଶ୍ବାଳ ଓ ଅସିତ୍ କୁମାର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
Follow Us