ବ୍ୟାସନଗର: ସାରୁଆବିଲ ଓ କମର୍ଦା ଖଣିର ଛଟେଇ ଶ୍ରମିକଙ୍କୁ ତୁରନ୍ତ ନିଯୁକ୍ତି ଦେବା, କଅଁସ ପଞ୍ଚାୟତର ବେକାର ଯୁବକଙ୍କୁ ନିକଟସ୍ଥ ଖଣିରେ କାମ ଯୋଗାଇଦେବା ଦାବିରେ ଆଜି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଞ୍ଚ ପକ୍ଷରୁ ବହୁ ଶ୍ରମିକ, ବେରୋଜଗାର ଯୁବକ ଚୋରଦା ବାଇପାସ ଛକରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
୨୦୨୦ ମାର୍ଚ୍ଚରୁ କାମ ହରେଇଥିବା ଶ୍ରମିକ କର୍ମଚାରୀମାନେ ବାରମ୍ବାର ଟିଏସ୍ଏମ୍ଏଲ୍ କର୍ତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ ବି ଆଜି ସୁଦ୍ଧା ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିନାହିଁ। ଖଣି ନିକଟ ଗାଁ’ଗୁଡ଼ିକର କର୍ମକ୍ଷମ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ବାହାର ଅଞ୍ଚଳରୁ ଅନଭିଜ୍ଞ ଲୋକମାନେ ଆସି ଖଣିରେ କାମ କରୁଛନ୍ତି। ଯାଜପୁର ଜିଲ୍ଲାପାଳ, କଳିଙ୍ଗନଗର ଏଡିଏମ, ସୁକିନ୍ଦା ତହସିଲଦାରଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। ଗତ ଜୁନ ମାସରେ ଏଡିଏମ୍ଙ୍କ ଉପସ୍ଥିତିରେ ଟିଏସଏମଏଲ କର୍ତ୍ତୃପକ୍ଷ, ଡିଡିଏମ ଯାଜପୁରରୋଡ୍ ଓ ଖଣି କ୍ଷତିଗ୍ରସ୍ତଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କାମ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ସୁଦ୍ଧା ସେମାନଙ୍କୁ କାମ ନମିଳିବାରୁ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଗଣମଞ୍ଚର ଆବାହକ ସୁରେଶ ପ୍ରଧାନଙ୍କ ସଭାପତିତ୍ୱରେ ପରିଚାଳିତ ପ୍ରତିବାଦ ସଭାରେ ଏସୟୁସିଆଇ (କମ୍ୟୁନିଷ୍ଟ ) ଓଡ଼ିଶା ରାଜ୍ୟ କମିଟି ସଭ୍ୟ ତଥା ଯାଜପୁର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ, ସଂଗଠନର ଆବାହକ ଶଙ୍କର ସିଦ୍ଦୁ, ଶଙ୍କର ମାରାଣ୍ଡି ଦାବି ପୂରଣ କରିବାକୁ ଆହ୍ୱାନ ଦେଇଥିଲେ।