ସମ୍ବଲପୁର: ରବି ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସମ୍ବଲପୁର ଚାଷୀ। ପ୍ରାୟ ସାଢ଼େ ୪ ଘଣ୍ଟା ଧରି ଚାଷୀମାନେ ସିନ୍ଦୂରପଙ୍କଠାରେ ୫୩ ଓ ୫୫ ନମ୍ବର ଜାତୀୟ ରାଜପଥର ସଂଯୋଗସ୍ଥଳକୁ କବ୍‌ଜା କରି ରଖିଥିଲେ। ଏଥି ଯୋଗୁ ମୁମ୍ବାଇ, କୋଲକାତା ଓ କଟକ ପଟୁ ଆସୁଥିବା ଶହଶହ ସଂଖ୍ୟାରେ ଗାଡ଼ି ଛକ ପୂର୍ବରୁ ତିନି ପାର୍ଶ୍ବ ରାସ୍ତାରେ ଅଟକି ରହିଥିଲା। ଶେଷରେ ପ୍ରଶାସନ ଚାଷୀଙ୍କ ଦାବି ପୂରଣ କରିଥିଲା। ଟାର୍ଗେଟ୍‌ ନଥିବା କାରଣରୁ କୌଣସି ମଣ୍ଡିରେ ଧାନ ବିକ୍ରି ସମସ୍ୟା ରହିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ଏସ୍‌ଡିପିଓ ଲିଖିତ ଭାବରେ ଜଣାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।  

Advertisment

ସମ୍ବଲପୁର ଜିଲ୍ଲା ତବଲା, ପରମାଣପୁର ସ୍ଥିତ ଅଧିକାଂଶ ମଣ୍ଡିରେ ଅବିକ୍ରି ହୋଇ ପଡ଼ିଛି ଧାନ। ବର୍ଷାରେ ଫସଲ ନଷ୍ଟ ଓ ଗୁଣାତ୍ମକମାନ ହ୍ରାସ ଯୋଗୁ ଚାଷୀ ପୂର୍ବରୁ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛି। ସେଥିରେ ପୁଣି ଧାନ ବିକ୍ରି ନ ହେବା ଫଳରେ ଚାଷୀର ସମସ୍ୟା ଆହୁରି ବଢ଼ି ଯାଇଛଇ। ଧାନ ଯେତିକି ଅଧିକ ଦିନ ପଡ଼ି ରହୁଛି, ଭଡ଼ା ସେତିକି ବଢ଼ୁଛି। ତେଣୁ ପୂର୍ବ ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର କର୍ମକର୍ତ୍ତାମାନେ ସକାଳ ପ୍ରାୟ ୭.୩୦ରୁ ୫୩ ଓ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ। ଚଳିତ ବର୍ଷ ଯେଉଁଭଳି ଭାବରେ ସମ୍ବଲପୁର ସମେତ ପୂରା ପଶ୍ଚିମ ଓଡ଼ିଶାରେ ଟାର୍ଗେଟ ସମସ୍ୟା ଉପୁଜିଛି, ତାକୁ ଜୋର୍‌ଦାର ବିରୋଧ କରାଯାଇ ଥିଲା। ରବିରେ ଏଭଳି ଅବସ୍ଥା ସତର୍କ ଘଣ୍ଟି ବୋଲି କୁହାଯାଇଥିଲା। ଧାନ ସଂଗ୍ରହର ଯଥେଷ୍ଟ ପୂର୍ବରୁ ଚାଷୀମାନେ ଧାନ ବିକ୍ରି ପାଇଁ ପ଼ଞ୍ଜୀକରଣ କରୁଛନ୍ତି। ଏକର ହିସାବରେ କେତେ ଧାନ ସଂଗ୍ରହ ହେବ ତାହା ସ୍ବୟଂ ପ୍ରଶାସନ ନିର୍ଦ୍ଧାରଣ କରୁଛି। କେବେ ଧାନ ସଂଗ୍ରହ ହେବ ତାହା ବି ପ୍ରଶାସନର ମର୍ଜିରେ ସ୍ଥିର ହେଉଛି।

ଲିଖିତ ପ୍ରତିଶ୍ରୁତି ଦେଲା ପ୍ରଶାସନ

ଏହା ସତ୍ତ୍ବେ ହାତରେ ଟୋକନ୍‌ ଧରି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ପହଞ୍ଚିଲେ ତାଙ୍କଠାରୁ ଧାନ କ୍ରୟ କରାନଯିବା ଭଳି ଅପମାନ ଓ ଅବହେଳା ଆଉ କିଛି ହୋଇ ନପାରେ ବୋଲି କହିଥିଲେ। ଧାନର ଅଭାବୀ ବିକ୍ରି ପରିସ୍ଥିତି ତିଆରି କରିବା ପାଇଁ ଜାଣିଶୁଣି ଏଭଳି ଅବସ୍ଥା ସୃଷ୍ଟି କରାଯାଉଥିବା ନେଇ ଚାଷୀମାନେ ଗୁରୁତର ଅଭିଯୋଗ ଆଣିଥିଲେ। ଧାନ ବିକ୍ରି ପାଇଁ ବାରମ୍ବାର ଏଭଳି ଅଚଳାବସ୍ଥା ସୃଷ୍ଟି କରାଗଲେ ଚାଷୀ ବାଧ୍ୟ ହୋଇ କମ୍‌ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରିବ। ଚାଷୀର ଧାନର ଲାଭ ବ୍ୟବସାୟୀ ଉଠାଇବେ ବୋଲି ଅଭିଯୋଗ ହୋଇଛି। ଚାଷୀଙ୍କ ରାଜପଥ ଅବରୋଧ ସୂଚନା ପାଇବା ପରେ ପ୍ରଥମେ ଉପଜିଲ୍ଲାପାଳ, ଅତିରିକ୍ତ ସିଏସ୍‌ଓ ଏବଂ ଏସ୍‌ଡିପିଓ ପହଞ୍ଚିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶେଷ ମୁହୂର୍ତ୍ତରେ ସିଏସ୍‌ଓ ଆନ୍ଦୋଳନସ୍ଥଳରେ ପହଞ୍ଚି ଧାନବିକ୍ରି ସମସ୍ୟାର ସମାଧାନ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଆନ୍ଦୋଳନ ଯୋଗୁଁ ଅନେକ ଘଣ୍ଟା ଧରି ରାଜପଥର ଉଭୟ ପାର୍ଶ୍ବରେ ଭାରୀଯାନ ଅଟକି ରହିବାରୁ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା।