ଭୁବନେଶ୍ବର: ଜୀବିକା ମିସନ୍ ଯୋଜନାରେ କାର୍ଯ୍ୟରତ ୨୫୦୦ରୁ ଅଧିକ ମହିଳା ଇଣ୍ଟରନାଲ କମ୍ୟୁନିଟି ରିସୋର୍ସ ପର୍ସନ (ଆଇସିଆର୍ପି) ମହିଳାମାନଙ୍କୁ ଛଟେଇ କରି ଦିଆଯାଇଛି। ତେଣୁ ସମସ୍ତ ଆଇସିଆର୍ପିମାନଙ୍କର ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛି ଓଏଲ୍ଏମ୍ ପ୍ରୋଜେକ୍ଟ ୱାର୍କର୍ସ ମଜଦୁର ସଂଘ। ସଂଘ ପକ୍ଷରୁ ଏହାକୁ ନେଇ ଓଏଲ୍ଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, ଜୀବିକା ମିସନ୍ ଯୋଜନାର ସଫଳ ରୂପାୟନ ପାଇଁ ଆଇସିଆର୍ପିମାନେ ପ୍ରମୁଖ ଦାୟିତ୍ବ ନିର୍ବାହ କରୁଥିଲେ। କିନ୍ତୁ ସରକାର ସେମାନଙ୍କ ଉପରେ ଲଗାତାର ଭାବରେ ଶ୍ରମର ବୋଝ ଲଦିଦେବା ସହ ମଜୁରି କମାଇ ଦେଇଥିଲେ। ପୁଣି ତାଲିମପ୍ରାପ୍ତ ମହିଳାମାନଙ୍କୁ ସରକାର ଓଏଲ୍ଏମ୍ରେ ବିଭିନ୍ନ ପ୍ରକାର କାର୍ଯ୍ୟ ଥିଲେ ମଧ୍ୟ ଆଇସିଆର୍ପିମାନଙ୍କୁ ଛଟେଇ କରିଦିଆଯାଇଛି। ଏପରିକି ମହିଳା କର୍ମଚାରୀମାନେ ବକେୟା ପ୍ରାପ୍ୟ ଦାବି କଲା ବେଳେ ସେମାନଙ୍କୁ ଅସଦ୍ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।
ତେଣୁ ସେମାନଙ୍କର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା, ତାଲିମପ୍ରାପ୍ତ ମହିଳାମାନଙ୍କୁ ଓଏଲ୍ଏମ୍ର ବିଭିନ୍ନ ପଦପଦବିରେ ନିଯୁକ୍ତି ଦେବା, ଏସ୍ଏଚ୍ଜି ପାଣ୍ଠିର ସଦୁପଯୋଗ ପାଇଁ ଏହି କର୍ମଚାରୀମାନଙ୍କୁ ତଦାରଖର ଦାୟିତ୍ବ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଓଏଲ୍ଏମ୍ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ସଭାପତି ଅକ୍ଷୟ ରାଉତରାୟ, ସରସ୍ବତୀ ଜେନା, ଚନ୍ଦନ ପରିଡ଼ା, ମୋନିକା ଦାସ, କୁନୀ ପଟେଲ, ରମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/14/El7V3oaZzQnyhoGIjHR3.jpg)