ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବିରେ ଆଜି ଭାରତୀୟ ବିକାଶ ପରିଷଦ ଓ ଶ୍ରୀଜଗନ୍ନାଥ ସେନା ନେତୃତ୍ବରେ ଶତାଧିକ ଶ୍ରୀଜଗନ୍ନାଥ ପ୍ରେମୀ ଆଜି ପୁରୀ ରେଳଷ୍ଟେସନ୍‌ଠାରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ଭାରତୀୟ ବିକାଶ ପରିଷଦ ଓ ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛନ୍ତି, ଶେଷ ଥର ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହା ପରେ ୪୬ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ବି ରତ୍ନଭଣ୍ଡାର ଖୋଲାଯାଉନି କି ଏଥିରେ ଥିବା ରତ୍ନ, ସୁବର୍ଣ୍ଣ ଅଳଙ୍କାର ଆଦିର ଗଣତି ଓ ମଣତି ହେଉନି। ୨୦୧୮ ଏପ୍ରିଲ ୪ ତାରିଖରେ ଶେଷ ଥର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। କିନ୍ତୁ ନାଟକୀୟ ଢଙ୍ଗରେ ଏହାକୁ ବନ୍ଦ କରି ଦିଆଗଲା। ଚାବି ହଜିବାର ବାହାନ କରି ସାଢ଼େ ୪ କୋଟି ଓଡ଼ିଆଙ୍କୁ ଭକୁଆ ବନାଗଲା। ଆଜି ପର୍ଯ୍ୟନ୍ତ ବି ସାଢ଼େ ୪ କୋଟି ଓଡ଼ିଆ ରତ୍ନଭଣ୍ଡାରକୁ ନେଇ ଅନ୍ଧାରରେ ରହିଛନ୍ତି। ରତ୍ନଭଣ୍ଡାରରେ ସତରେ ଅଳଙ୍କାର ରହିଛି, ନା ଚୋରି ହୋଇଯାଇଛି, ଏଭଳି ସନ୍ଦେହ ବି ବଢ଼ିଲାଣି। ହଜିଥିବା ରତ୍ନଭଣ୍ଡାର ଚାବି ବି ସାର୍ବଜନୀନ କରାଗଲାନି। ସତ କ’ଣ ଲୋକେ ଅନ୍ଧାରରେ ରହିଛନ୍ତି।

ସେପଟେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ରଘୁବୀର ଦାସ କମିସନ ଗଠନ ହେଲା। କମିସନଙ୍କ ରିପୋର୍ଟ ବି ସାର୍ବଜନୀନ କରାଗଲାନାହିଁ। ରତ୍ନଭଣ୍ଡାର ରହସ୍ୟ ଭକ୍ତଙ୍କୁ ଅନ୍ଦୋଳିତ କଲାଣି। ତୁରନ୍ତ ରତ୍ନଭଣ୍ଡାର ଖୋଲି ରତ୍ନ ଆଦି ଅଳଙ୍କାରର ଗଣତି ଓ ମଣତି କରି ଏହାର ତଥ୍ୟକୁ ସାର୍ବଜନୀନ କରିବା ସହ ରତ୍ନଭଣ୍ଡାରର ଆବଶ୍ୟକ ମରାମତି କରିବାକୁ ସଂଗଠନ ଦାବି କରିଛନ୍ତି। ନଚେତ୍‌ ପରିଚାଳନା କମିଟିର ସ୍ଥାୟୀ ସଭାପତି ଭାବେ ଗଜପତି ମହାରାଜା ରତ୍ନଭଣ୍ଡାର ଚାବି ହଜିବାଠାରୁ ଆରମ୍ଭ କରି ସମସ୍ତ ଘଟଣାର ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ ବୋଲି ସଂଗଠନ ଦାବି ରଖିଛି। ଆଜି ସଂଗଠନର କାର୍ଯ୍ୟକର୍ତ୍ତାମାନେ ପୁରୀ ରେଳଷ୍ଟେସନ୍‌ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଶୋଭାଯାତ୍ରା କରିବା ସହ ପ୍ଲାକାର୍ଡ, ବ୍ୟାନର ଆଦି ଧରି ନାରାବାଜି କରିଛନ୍ତି। ଆଜିର ଏହି ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଭକ୍ତମାନେ ସାମିଲ୍‌ ଥିଲେ।