ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନକୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ ସ୍ବାଧୀନ ଫେଡେରେସନ୍ ତୀବ୍ର ବିରୋଧ କରିଛି। ଆଜି ହୋଟେଲ୍ ମେ’ଫେୟାରଠାରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ଶ୍ରମ ସମ୍ମିଳନୀ ଚାଲିଥିବା ବେଳେ ବାହାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମ୍ଏସ, ସିଆଇଟିୟୁ, ଏଆଇସିସିଟିୟୁ ଓ ଆଇୟୁଟିୟୁସି ପକ୍ଷରୁ ମିଳିତ ଭାବେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଶୋଧନ ଆଳରେ କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ୪ଗୋଟି ଶ୍ରମ କୋଡ୍ କରି ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା, ସର୍ବନିମ୍ନ ମଜୁରି, ନିରାପତ୍ତା ଓ ସାମାଜିକ ସୁରକ୍ଷା ଆଦିକୁ ଅଣଦେଖା କରିବାକୁ ଉଦ୍ୟମ କରୁଛନ୍ତି। କେବଳ କର୍ପୋରେଟ୍ ସ୍ବାର୍ଥରେ ଏହା କରାଯାଉଛି। ତେଣୁ ଏହି ‘କୋଡିଫିକେସନ୍’ ବନ୍ଦ କରାଯାଉ ବୋଲି ସଂଘ ଦାବି କରିଥିଲା। ୟୁନିଅନ୍ ପକ୍ଷରୁ ଅଭିଯୋଗ କରାଯାଇଛି, କେନ୍ଦ୍ର ସରକାର ‘ଦି ଅକ୍ୟୁପେସନାଲ ସେଫ୍ଟି ସିକ୍ୟୁରିଟି ଆଣ୍ତ ଅର୍ଗାନାଇଜେସନାଲ ବିଲ୍ -୨୦୧୯’କୁ ରାଜ୍ୟଗୁଡ଼ିକରେ ଲାଗୁ କରିବା ପାଇଁ ଭୁବନେଶ୍ବରଠାରେ ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବମାନଙ୍କର ଏହି ପୂର୍ବାଞ୍ଚଳ ସମ୍ମିଳନୀ ଆୟୋଜନ କରିଛନ୍ତି। ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବାଠାରୁ ଏପର୍ଯ୍ୟନ୍ତ ଜାତୀୟ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। କିନ୍ତୁ ଶ୍ରମ ନୀତିର ସ˚ଶୋଧନ ପାଇଁ ଆଞ୍ଚଳିକ ଶ୍ରମ ସମ୍ମିଳନୀ ଜରିଆରେ ଶ୍ରମ କୋଡ୍କୁ ଲାଗୁ କରୁଛନ୍ତି। ଫଳରେ ରାଜ୍ୟ ସରକାରମାନେ କେନ୍ଦ୍ରର ନୀତିକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। କେବଳ କର୍ପୋରେଟ୍ ସ୍ବାର୍ଥରେ ଏହା କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ଶ୍ରମବିରୋଧୀ ନୀତି ବିରୋଧରେ ଆସନ୍ତା ଜାନୁଆରି ୮ତାରିଖରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଆଜିର ଏହି ବିକ୍ଷୋଭରେ କିଶୋର ଜେନା, ସୌରୀବନ୍ଧୁ କର, ବିଷ୍ଣୁ ଚରଣ ମହାନ୍ତି, ଜୟସେନ ମେହେର, ମହେନ୍ଦ୍ର ପରିଡ଼ା, ଦୁଷ୍ମନ୍ତ ଦାସ, ସିଭିଏନ୍ ରାଓ, ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଣତି ମିଶ୍ର, ସତ୍ୟାନନ୍ଦ ବେହେରା, ବ୍ରଜବନ୍ଧୁ ପ୍ରଧାନ ଓ ନବକିଶୋର ମହାନ୍ତି ପ୍ରମୁଖ ନେତୃତ୍ବ ନେଇଥିଲେ।
ଶ୍ରମ ଆଇନର ‘କୋଡିଫିକେସନ୍’ ବନ୍ଦ ଦାବିରେ ବିକ୍ଷୋଭ
/sambad/media/post_attachments/wp-content/uploads/2019/10/asdfg56sd4g89sd4gsd8gsd89g7sd89g74sd8sd56g4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)