ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ଘଟଣା 

ସରକାରୀ କଳ ପ୍ରଭାବିତ ପ୍ରସଂଗରେ ସରକାର ରଖିବେ ପକ୍ଷ 

କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି।  ଆନ୍ଦୋଳନ ହେଉଥିବା ଅଞ୍ଚଳରେ ଅଦାଲତରେ ବିଚାରପତିଙ୍କୁ ପହଞ୍ଚାଇବା ପାଇଁ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ସରକାରୀ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ପ୍ରସଂଗରେ ସରକାର କିଛି ସ୍ପଷ୍ଟ କରି ନାହାନ୍ତି। ଏଥି ସହିତ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ପୁଣି ଜାରି ରଖିବାକୁ ବାର୍ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଛି। ସରକାରୀ କାର୍ଯ୍ୟାଳୟ ‌ଖୋଲିବା ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସୂଚନା ଯୋଗ୍ୟ ଆବେଦନରେ ଦର୍ଶାଯାଇଛି ଯେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏପରି ପରିସ୍ଥିତିରେ ସ˚ପୃକ୍ତ ଅଞ୍ଚଳରେ ଏକ ପ୍ରକାର ଅଚାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ବିଚାର ବିଭାଗୀୟ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ବଭାବିକ ଭାବେ କାର୍ଯ୍ୟ କରୁ ନାହିଁ। ଏପରି ଆନ୍ଦୋଳନ ଯୋଗୁ ସାଧାରଣ ଲୋକ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର