ଶ୍ରୀମନ୍ଦିର ଖୋଲିବା ଦାବିରେ ସେବାୟତଙ୍କ ଧାରଣା, ପ୍ରଶାସନର ଆଲୋଚନା ପରେ ଧାରଣାରୁ ଓହରିଲେ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରଖାଯାଇଛି। କଟକଣା ଭିତରେ ନୀତିକାନ୍ତି ସମ୍ପନ୍ନ ହେଉଛି। ଦୀର୍ଘ ୬ ମାସ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରବେଶ କଟକଣା ପରେ ଏବେ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ସେବାୟତଙ୍କ ମହଲରେ ଦାବି ଉଠିଛି। ଏହି ଦାବିରେ ଆଜି ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଧାରଣାରେ ଦେଇଛନ୍ତି।

ସେବାୟତମାନେ ଅଭିଯୋଗ କରିଛନ୍ତି କି ପିପିଲି ବିଧାୟକଙ୍କ ‌ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ୍‌ ହେଲେ। ସ୍ବର୍ଗଦ୍ବାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଲା। ତାକୁ ପ୍ରଶାସନ ଗ୍ରହଣ କଲା। କିନ୍ତୁ ପ୍ରଶାସନ ସଂକ୍ରମଣ ଆଳରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିଛି। ଏପରି କରି ଉଭୟ ଭକ୍ତ ଓ ସେବାୟତଙ୍କ ପ୍ରତି ଅନ୍ୟାୟ କରାଯାଉଛି। କରୋନା ପରିସ୍ଥିତିରେ କଟକଣାକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ ୬ ମାସ ହେଲାଣି ସେବାୟତ ପରିବାରମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ମାତ୍ର ଏ ଭିତରେ ମାତ୍ର ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତି ସେବାୟତ ପରିବାରକୁ ପ୍ରଦାନ କରାଯାଇଛି। ୬ ମାସ ଏତିକି ଟଙ୍କାରେ ଚଳିବ ସମ୍ଭବ ନୁହେଁ। ଏହାକୁ ଆଖି ଆଗରେ ପ୍ରଶାସନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ କରୁ। ଯେଉଁ କଟକଣା ରହିଛି ତାର ବିକଳ୍ପ ବ୍ୟବସ୍ଥା କରୁ। ଚାରିଦ୍ବାରରେ ଡାକ୍ତର, ମେଡିକାଲ୍‌ କର୍ମଚାରୀଙ୍କୁ ରଖି ଡାକ୍ତରୀ ପରୀକ୍ଷାର ବ୍ୟବସ୍ଥା କରି ପ୍ରତିଦ୍ବାରରେ ଦୈନିକ ୫୦ଜଣ ଲେଖାଏଁ ଭକ୍ତ ଛାଡ଼ିବାର ବ୍ୟବସ୍ଥା କରାଯାଉ। ଏହାଦ୍ବାର ଶ୍ରୀମନ୍ଦିର ଆଉ ଭିଡ଼ ହେବନି କି ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେନି। ସେପଟେ ସେବାୟତମାନେ ପରିବାର ଗୁଜୁରାଣ ମେଣ୍ଟାଇ ପାରିବେ। କିନ୍ତୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବନ୍ଦ କରି ଆମ ପରିବାରକୁ ଭୋକ ଉପାସରେ ଛାଡ଼ି ଦେବା ଠିକ୍‌ ନୁହେଁ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଆଜି ସକାଳ ୮ଟାରୁ ବରିଷ୍ଠ ସୁଆର ଦାମୋଦର ମହାସୁଆରଙ୍କ ସହ ଅନ୍ୟମାନେ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଧାରଣାରେ ବସିଥିଲେ। ଉପଜିଲ୍ଲାପାଳଙ୍କ ଆଲୋଚନା କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବା ପରେ ସେବାୟତମାନେ ଧାରଣାରୁ ଓହରିଛନ୍ତି।

ସମ୍ବନ୍ଧିତ ଖବର