‘ଉଚ୍ଛେଦ ବନ୍ଦ ରଖ, ରୟତ ପଟ୍ଟା ଦିଅ’

ସ୍ଥାୟୀ ପଟ୍ଟା, କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର

ପୁରୀ : ପୁରୀ ସହରର ୮୦ ପ୍ରତିଶତ ବାସିନ୍ଦା ମଠ, ମନ୍ଦିର କିମ୍ବା ପୌରପାଳିକା ଜମିରେ ପୁରୁଷାନୁକ୍ରମେ ବାସ କରୁଛନ୍ତି। ଅଥଚ ଆଇନ ମୁତାବକ ସେମାନଙ୍କୁ ସ୍ଥାୟୀ ରୟତ ପଟ୍ଟା ଦେବା ବଦଳରେ ମନ୍ଦିର ପ୍ରଶାସନ ଓ ସରକାର ପ୍ରଜାମାନଙ୍କୁ ଉଚ୍ଛେଦର ଭୟ ଦେଖାଉଛନ୍ତି। ତେଣୁ ଏହା ବିରୋଧରେ ଆଜି ଜମି ସମସ୍ୟା ସମାଧାନ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରାଯାଇଛି। ଏଥିପାଇଁ ଏକ ଶୋଭାଯାତ୍ରା ମାଟିଆପଡ଼ାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ମାଟିଆପଡ଼ା ରେଳ ଓଭରବ୍ରିଜ୍‌ ପାଇଁ ଜମି ଉଚ୍ଛେଦ ବନ୍ଦ ରଖିବାକୁ ଦାବି କରାଯାଇଛି।

ମଞ୍ଚର ସଭାପତି ଶରତ କୁମାର ରାୟଗୁରୁ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ପ୍ରଯୁଜ୍ୟ ନୁହେଁ। ସେଟେଲ୍‌ ହୋଇଯାଇଥିବା ଜମିରେ ମନ୍ଦିର ପକ୍ଷରୁ ମାଲିକାନା ଦାବି କରାଯାଇପାରିବ ନାହିଁ। ମଠ, ମନ୍ଦିର ଜମିରେ ପ୍ରଜା ଭାବେ ବାସକରୁଥିବା ଲୋକେ ତାଙ୍କ ଅଧୀନରେ ପ୍ରଜା ଭାବେ ରହିବେ। ଲୋକେ ଖଜଣା ଦେବେ, ମନ୍ଦିର ପଟ୍ଟା ଦେବ। ସୁତରାଂ ମନ୍ଦିର ୟୁନିଫର୍ମ ପଲିସି ମାଧ୍ୟମରେ ଜମି ବିକ୍ରି କରିହେବ ନାହିଁ। ହେଲେ ସରକାର ଲୋକଙ୍କ ପ୍ରଜାସ୍ବତ୍ତ୍ବ ଛଡ଼ାଇ ନେଉଛନ୍ତି। ପାଉତି ନେଉଥିବାରୁ ସରକାର ଜମି ପଟ୍ଟା ଦେବା ଆବଶ୍ୟକ। ତେଣୁ ପ୍ରଜାସ୍ବତ୍ବ ଆଇନ ଅନୁଯାୟୀ ପ୍ରଜାମାନଙ୍କୁ ପଟ୍ଟା ଦେବା ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ମାଟିଆପଡ଼ା ରେଳ ଓଭରବ୍ରିଜ୍‌ରେ ଜମିର କ୍ଷତିପୂରଣ ରାଶି ମନ୍ଦିରକୁ ଦେବା ପାଇଁ ସରକାର ଯେଉଁଭଳି ନୋଟିସ୍‌ କରିଛନ୍ତି ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି। ସମସ୍ତ କ୍ଷତିପୂରଣ ରାଶି ପ୍ରଜା ନପାଇବା ପର୍ଯ୍ୟନ୍ତ ଜମି ଛାଡ଼ିବେ ନାହିଁ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେହିପରି ମୁନିସିପାଲିଟି ଜମିରେ ଶହଶହ ବର୍ଷ ଧରି ଲିଜ୍‌ ମାଧ୍ୟମରେ ବାସ କରୁଥିବା ଲୋକଙ୍କର ଲିଜ୍‌ ନବୀକରଣ ନହେବା ଯୋଗୁ ବାସିନ୍ଦାମାନେ ହନ୍ତସନ୍ତ ହେଉଛନ୍ତି। ପୁରୀ ସହର ଓ ସଦର ଅଞ୍ଚଳରେ ଜମି ସମସ୍ୟା ସମାଧାନ ନକଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ ହେବ ବୋଲି ବିଜୟ କୁମାର ପାଣି, ମନୋରଂଜନ ମହାରଣା, ଡମ୍ବରୁଧର ଦାଶ, ଅକ୍ଷୟ କୁମାର ମହାନ୍ତି, ସାରଙ୍ଗଧର ଦାଶ, ଯୋଗେନ୍ଦ୍ର କୁମାର ପଣ୍ଡା, ଶ୍ରୀଧର ବେହେରା, ମନୋରଂଜନ ସାହୁ, ବାବନ ଜେନା, ବାବୁଲି ଦାସ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର