ସମ୍ବଲପୁର: ଉପନିର୍ବାଚନ ଜିତିବା ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତରେ ଆସି ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଦୋହରାଇଥିଲେ। ବର୍ଷେ ମଧ୍ୟରେ ନୂଆ ପଦ୍ମପୁର ଜିଲ୍ଲା ରୂପ ନେବ ବୋଲି କହିଥିଲେ। ୩୦ ବର୍ଷ ପୂର୍ବେ ୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ଅମଳରେ ଓଡ଼ିଶାର ୧୩ ଜିଲ୍ଲା ୩୦କୁ ବୃଦ୍ଧି ପାଇଥିଲା। ସେତିକିବେଳେ ଆଉ କିଛି ନୂଆ ଜିଲ୍ଲାର ଦାବି ଉଠିଥିଲେ ବି ବିଭିନ୍ନ କାରଣରୁ ହୋଇପାରି ନଥିଲା। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଭଳି ୩ଟି ବଡ଼ ଜିଲ୍ଲା ଆଦୌ ଭାଗ ନହୋଇ ରହି ଯାଇଥିଲା। ଭାଗ ହୋଇଥିବା ଜିଲ୍ଲା ଗୁଡ଼ିକରେ ବି କିଛିକିଛି ବଡ଼ ଅଞ୍ଚଳ ରହିଥିଲା ଯାହା ସ୍ବତନ୍ତ୍ର ଜିଲ୍ଲା ହେବାର ଅପେକ୍ଷା ରଖୁଥିଲା। ତେବେ ଦୀର୍ଘ ୩୦ ବର୍ଷ ପରେ ନବୀନ ପଟ୍ଟନାୟକଙ୍କ ଅମଳରେ ପୁଣିଥରେ ଏହି ଜିଲ୍ଲା ପୁନର୍ଗଠନ ଚର୍ଚ୍ଚା ରାଜ୍ୟର ବିଭିନ୍ନ ଆଶାୟୀ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି। ଖାସ୍ କରି ପଦ୍ମପୁର ନୂଆ ଜିଲ୍ଲା ଘୋଷଣା ପରେ ରାଜ୍ୟର ଆଉ ପ୍ରାୟ ୧୫ଟି ଅଞ୍ଚଳବାସୀ ନୂଆ ଜିଲ୍ଲା ଦାବି କରୁଛନ୍ତି।
ଲୋକଙ୍କ ଦାବିକୁ ସରକାର ମଧ୍ୟ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏହା ଉପରେ ସରକାରୀ ପ୍ରକ୍ରିୟା ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ସଚିବସ୍ତରୀୟ କମିଟି ଗଠିତ ହୋଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗା ଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଭିନ୍ନ ଅଞ୍ଚଳର ଭୌଗଳିକ, ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ଥିତି ସଂପର୍କରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଏବଂ ଆଭ୍ୟନ୍ତରୀଣ ସର୍ଭେରୁ ତଥ୍ୟ ମିଳିଲା ପରେ ଯାଇ ନୂଆ ଜିଲ୍ଲା ସଂଖ୍ୟା ଚୂଡ଼ାନ୍ତ ହୋଇପାରେ। ତେବେ ନୂଆ ପଦ୍ମପୁର ଜିଲ୍ଲା ହେବା ନିଶ୍ଚିତ ଥିବାବେଳେ ଏଥି ସହ ରାଜ୍ୟରେ ଆହୁରି ୫ରୁ ୧୦ଟି ନୂଆ ଜିଲ୍ଲା ଅସ୍ତିତ୍ବକୁ ଆସିବା ସମ୍ଭାବନା ରହିଛି। ଜିଲ୍ଲା ଗଠନ ପ୍ରାୟ ଗୋଟିଏ ବର୍ଷର ପ୍ରକ୍ରିୟା ହୋଇଥିବାବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏସବୁ ପ୍ରକ୍ରିୟା ଶେଷ କରି ରାଜ୍ୟର ଜିଲ୍ଲା ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ସମ୍ବଲପୁର ଜିଲ୍ଲା ଭାଗ ହୋଇ ସୃଷ୍ଟି ହୋଇଥିବା ବରଗଡ଼ ଜିଲ୍ଲା ପୁଣି ଦୁଇ ଭାଗ ହୋଇ ନୂଆ ପଦ୍ମପୁର ବା ବୋଡ଼ାସମ୍ବର ଜିଲ୍ଲା ହେବ। ପୁଣି ଜିଲ୍ଲା ପୁନର୍ଗଠନ ହେଲେ ୧୯୯୩ ମସିହାରେ ବିଭାଜନରୁ ବାଦ ପଡ଼ିଥିବା ତିନି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଭାଗ ହେବା ଏକପ୍ରକାର ନିଶ୍ଚିତ। ମୟୂରଭଞ୍ଜ ଭାଗ ହୋଇ ନୂଆ ରାଇରଂଗପୁର ଜିଲ୍ଲା ଗଠନ ହୋଇପାରେ। ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଞ୍ଚଳ ହୋଇଥିବାେବଳେ ସ୍ବତନ୍ତ୍ର ଜିଲ୍ଲା ହେବାର ସବୁ ଯୋଗ୍ୟତା ରଖେ। ସେହିପରି କେନ୍ଦୁଝରରୁ ଅଲଗା ହୋଇ ନୂଆ ଆନନ୍ଦପୁର ଜିଲ୍ଲା ଗଠନ ସମ୍ଭାବନା ରହିଛି।
ସୁନ୍ଦରଗଡ଼ ଜିଲ୍ଲା ଭାଗହେଲେ ରାଉରକେଲା ନୂଆ ଜିଲ୍ଲା ହେବା ଏକପ୍ରକାର ନିଶ୍ଚିତ। ସେହିପରି ପୂର୍ବରୁ ବଲାଙ୍ଗୀରରୁ ଅଲଗା ହୋଇ ସୁବର୍ଣ୍ଣପୁର ଜିଲ୍ଲା ଗଠିତ ହୋଇଥିଲା। ଏବେ ବଲାଙ୍ଗୀରକୁ ପୁଣିଥରେ ଭାଗ କରି ନୂଆ ଟିଟିଲାଗଡ଼ ଜିଲ୍ଲା ଗଠନର ବହୁ ପୁରୁଣା ଓ ଯୁକ୍ତିଯୁକ୍ତ ଦାବିକୁ ସରକାର ଗ୍ରହଣ କରିବା ସମ୍ଭାବନା ଅଧିକ। ପୂର୍ବରୁ ଗଜପତି ଗଂଜାମରୁ ଅଲଗା ହୋଇଥିଲେ ବି ଏହା ଲୋକସଂଖ୍ୟା ଦୃଷ୍ଟିରୁ ଏବେ ବି ରାଜ୍ୟର ସବୁଠୁ ବଡ଼ ଜିଲ୍ଲା। ଏହି ଜିଲ୍ଲାକୁ ଭାଗ କରି ସ୍ବତନ୍ତ୍ର ଘୁମୁସର (ଭଞ୍ଜନଗର ସଦର ମହକୁମା) ଜିଲ୍ଲା ଗଠନ ପାଇଁ ୧୯୯୩ ମସିହାରୁ ଲଗାତାର ଦାବି ହୋଇ ଆସୁଛି। ତେଣୁ ଜିଲ୍ଲା ପୁନର୍ଗଠନ ହେଲେ ଏହା ମଧ୍ୟ ନୂଆ ଜିଲ୍ଲା ହେବା ଏକପ୍ରକାର ନିଶ୍ଚିତ। ସେହିପରି ଅନଗୁଳରୁ ଅଲଗା ହୋଇ ଓଡ଼ିଶାର କୋଇଲା କେନ୍ଦ୍ର କହା ଯାଉଥିବା ତାଳଚେର ଏକ ନୂଆ ଜିଲ୍ଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଛଡ଼ା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଥିବା ରାଜଧାନୀ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିବାର ବିଭିନ୍ନ ଦୃଷ୍ଟିକୋଣରୁ ଜରୁରୀ ଆବଶ୍ୟକତା ରହିଛି। ଅନ୍ୟ ଛୋଟ ଜିଲ୍ଲା ଗୁଡ଼ିକ ତୁଳନାରେ ଭୁବନେଶ୍ବର ସହରର ଲୋକସଂଖ୍ୟା ଯଥେଷ୍ଟ ଅଧିକ। ରାଜନୈତିକ, ଆର୍ଥିକ ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ଏହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ ସହର ସଂଲଗ୍ନ ୨ଟି ବ୍ଲକ୍ ଓ ଚନ୍ଦକା ଅଞ୍ଚଳକୁ ନେଇ ଭୁବନେଶ୍ବର ଜିଲ୍ଲା ଗଠନ ପାଇଁ ଦାବି ହେଉଛି।
ଜିଲ୍ଲା ପୁନର୍ଗଠନ ହେଲେ ଉପରୋକ୍ତ ୮ଟି ନୂଆ ଜିଲ୍ଲାର ସର୍ବାଧିକ ସମ୍ଭାବନା ରହିଛି। ଏହାଛଡ଼ା ବଣେଇଗଡ଼ (ସୁନ୍ଦରଗଡ଼), କୁଚିଣ୍ଡା (ସମ୍ବଲପୁର), କଣ୍ଟାବାଞ୍ଜି/ପାଟଣାଗଡ଼ (ବଲାଙ୍ଗୀର), ବାଙ୍ଗିରିପୋଷି (ମୟୂରଭଞ୍ଜ), ଚଣ୍ଡିଖୋଲ (ଯାଜପୁର), ଜଳେଶ୍ବର (ବାଲେଶ୍ବର), ଗୁଣୁପୁର (ରାୟଗଡ଼), ଧର୍ମଗଡ଼ (କଳାହାଣ୍ଡି), ବ୍ରହ୍ମପୁର (ଗଂଜାମ) ଆଦି ୧୫ରୁ ଅଧିକ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହେଉଛି। କବିସୂର୍ଯ୍ୟନଗରର ସୂଚନା ଅଧିକାର କର୍ମୀ ବି ଶଂକର ପାତ୍ରଙ୍କୁ ଆର୍ଟିଆଇରେ ଦେଇଥିବା ସୂଚନାରେ ସରକାର ବି ଏହା ସ୍ବୀକାର କରିଛନ୍ତି। ହେଲେ ନିର୍ବାଚନ ପୂର୍ବରୁ ସବୁ ଅଞ୍ଚଳକୁ ସନ୍ତୁଷ୍ଟ କରି ସରକାର କିପରି ଏହି ଜିଲ୍ଲା ପୁନର୍ଗଠନର ସମୀକରଣ କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ।
ରାଜ୍ୟର କ୍ଷମତାଧୀନ ବ୍ୟାପାର
ଜିଲ୍ଲା ପୁନର୍ଗଠନ ସଂପୂର୍ଣ୍ଣଭାବେ ରାଜ୍ୟ ସରକାରଙ୍କ କ୍ଷମତାଭୁକ୍ତ। ନିକଟ ଅତୀତରେ ଅାନ୍ଧ୍ର ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ ଭଳି ବହୁ ରାଜ୍ୟ ନୂଆ ଜିଲ୍ଲା ତିଆରି କରିଛନ୍ତି ବା ଘୋଷଣା କରିଛନ୍ତି। ବିଗତ ୬୦ ବର୍ଷ ମଧ୍ୟରେ ଭାରତରେ ୪୧୮ଟି ନୂଆ ଜିଲ୍ଲା ଗଠନ ହୋଇ ସାରିଛି। ତେବେ ଏହା ଗୋଟିଏ ଦିନରେ ହୁଏ ନାହିଁ, ଏଥି ପାଇଁ ଅତି କମ୍ରେ ବର୍ଷକର ପ୍ରସ୍ତୁତି ଲୋଡ଼ା। ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ୨ଟି ଉପାୟ ରହିଛି। ସବୁଠୁ ସହଜ ଓ ସରଳ ଉପାୟ ହେଲା ଗ୍ୟାଜେଟ୍ ବିଜ୍ଞପ୍ତି ଜରିଆରେ ନୂଆ ଜିଲ୍ଲା ଗଠନ କରିବା। ଦ୍ବିତୀୟ ଉପାୟଟି ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ କରାଇବା। ବର୍ତ୍ତମାନ ବିଧାନସଭାରେ ସରକାରୀ ଦଳର ସ୍ପଷ୍ଟ ବହୁମତ ଥିବାରୁ ଓଡ଼ିଶାରେ ଉଭୟ ଉପାୟରେ ଜିଲ୍ଲା ପୁନର୍ଗଠନ କରାଯାଇ ପାରିବ। ନୂଆ ଜିଲ୍ଲା ଗଠନ ହେଲେ ଲୋକଙ୍କୁ ଉତ୍ତମ ଶାସନ ମିଳୁଥିବାବେଳେ ପରିଚାଳନା ଓ ଭିତ୍ତିଭୂମି ଖର୍ଚ୍ଚ ବୃଦ୍ଧି ପାଇବ। ଅନେକ ନୂଆ କାର୍ଯ୍ୟାଳୟ ଖୋଲିବା ସହ ନୂତନ ପଦପଦବି ସୃଷ୍ଟି କରିବାକୁ ହେବ। ନୂଆ ଜିଲ୍ଲା ଗଠନରେ କେନ୍ଦ୍ର ସରକାରଙ୍କ ବିଶେଷ ଭୂମିକା ନାହିଁ। ହେଲେ ଜିଲ୍ଲା ନାମକରଣ, ଭୌଗଳିକ ସର୍ଭେ, କେନ୍ଦ୍ରୀୟ ପଦବି ସୃଷ୍ଟି ଆଦିରେ କେନ୍ଦ୍ର ସହଯୋଗର ଆବଶ୍ୟକତା ରହିଛି।