ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ପ୍ରଜାମେଳି, ଗୁରୁପ୍ରିୟା ସେତୁକୁ ବିରୋଧ କଲେ

ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ନକ୍ସଲମାନେ ପ୍ରଜାମେଳି କରିଛନ୍ତି। ପୁଣିଥରେ ଗୁରୁପ୍ରିୟା ସେତୁକୁ ପ୍ରତି ନିଜର ବିରୋଧାଭାସ ଦୋହରାଇଛନ୍ତି। ଏହି ପ୍ରଜାମେଳିରେ ଶତାଧିକ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ତେବେ, ‌ଲୋକମାନେ ସ୍ବଇଚ୍ଛାରେ ନା ଭୟର ବଶବର୍ତ୍ତୀ ହୋଇ ଯୋଗ ଦେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ,ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ଠାରେ ଏହି ପ୍ରଜାମେଳିର ଆୟୋଜନ କରାଯାଇଥିଲା। ଏହି ମେଳିରେ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ୫ଟି ପଞ୍ଚାୟତର ଲୋକ ଯୋଗ ଦେଇଥିଲେ। ସେଠାରେ ଗୁରୁପ୍ରିୟା ପ୍ରସଙ୍ଗକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶେଷରେ, ଗୁରୁପ୍ରିୟା ସେତୁ ପ୍ରତି ନକ୍ସଲମାନେ ନିଜର ବିରୋଧାଭାସ ଜାହିର୍‌ କରିଥିଲେ। ସେମା‌େନ କହିଥିଲେ ଯେ, ‘ ଏହି ସେତୁ ନିର୍ମାଣ ହେବା ଦ୍ବାରା ଲୋକଙ୍କ କୌଣସି କାମରେ ଲାଗୁନାହିଁ। ବରଂ କ୍ଷତି ହେଉଛି। ବିଚ୍ଛିନ୍ନାଞ୍ଚଳରେ ରହିଥିବା ଖଣିଜ ସଂପଦକୁ ଲୁଟ କରିବା ପାଇଁ ସରକାରଙ୍କର ଏହା ଚାଲ୍‌।

ଏହି ଘଟଣା ପରେ ନକ୍ସଲଙ୍କ ମୁଖ୍ୟ ଏଜେଣ୍ଡା ଯେ ଗୁରୁପ୍ରିୟା, ତାହା ସ୍ପଷ୍ଟ ହୋଇଯାଇଛି। ଗତ ସପ୍ତାହରେ ମାଓ ନେତା ସୁଧୀର ଏକ ଅଡିଓ ଟେପ ଜାରି କରି ଗୁରୁପ୍ରିୟା ସେତୁକୁ ବିରୋଧ କରିଥିଲେ। ଏହାପରେ ମାଓନେତା କୈଳାସ ମଧ୍ୟ ପ୍ରେସ୍‌ ବିବୃତ୍ତିରେ ଗୁରୁପ୍ରିୟା ସେତୁକୁ ବିରୋଧ କରିଥିଲେ। ଯାହାର କୌଣସି ପ୍ରଭାବ ପଡ଼ି ନଥିବା ଅନୁଭବ କରି ନକ୍ସଲ ଏହି ପ୍ରଜାମେଳିର ଆୟୋଜନ କରିଥିବା କୁହାଯାଉଛି। ଏଥିସହିତ୍ ନକ୍ସଲମାଦନ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭଳି କିଛି ସାମାଜିକ ପ୍ରସଙ୍ଗ ଉତ୍‌ଥାପନ କରି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଲୋକେ ସେତୁକୁ ବିରୋଧ କରୁଥିବା ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏହା ନକ୍ସଲଙ୍କ ଗୋଟିଏ ଚାଲ୍‌ ବୋଲି ଅନୁମାନ କର‌ାଯାଉଛି। କାରଣ ଲୋକଙ୍କୁ ଢାଲ କରି ନକ୍ସଲ ଏହି ଅଞ୍ଚଳରେ ପୁଣି ନିଜ କାୟା ବିସ୍ତାର କରିବାକୁ ଅହରହ ଉଦ୍ୟମ କରୁଥିବା ଏଥିରୁ ପ୍ରମାଣ ମିଳୁଛି ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ମଧ୍ୟ ବିଚ୍ଛିନ୍ନା଼ଞ୍ଚଳରେ ଏକ ବିରାଟ ପ୍ରଜାମେଳି ହୋଇଥିଲା। ଯାହାକୁ ଆଦିବାସୀ ବିପ୍ଲବୀ ଚାଷୀ ମୂଲିଆ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ବି ଅନୁରୂପ ଭାବେ ଗୁରୁପ୍ରିୟା ସେତୁକୁ ବିରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର