ଲୋୟର ପିଏମ୍‌ଜି ରଣକ୍ଷେତ୍ର : ଆଇସିଟି ଶିକ୍ଷା ସଂଯୋଜକ-ପୁଲିସ ଧସ୍ତାଧସ୍ତି, ଆଇନ ଅମାନ୍ୟ ଚେତାବନୀ

ଭୁବନେଶ୍ୱର : ୨୦୧୮ ମସିହା ନଭେମ୍ବର ମାସରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାର ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କ ସହ ପ୍ରତାରଣା କରିଛନ୍ତି। କୌଣସି ଦାବି ପୂରଣ କରିନାହାନ୍ତି। ଏଣୁ ଆଜି ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ୨ ହଜାରରୁ ଊର୍ଦ୍ଧ୍ବ ସଦସ୍ୟ ବାରିକେଡ୍‌ ଡେଇଁ ସଚିବାଳୟ ପର୍ଯ୍ୟନ୍ତ ପ୍ରବେଶ ଉଦ୍ୟମ କରିଥିଲେ। ପୁଲିସ ଅଟକାଇବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଲାଠି ଚାଳନା ଉଦ୍ୟମ କରିବାରୁ ସଂଯୋଜକମାନେ ଛତ୍ରଭଙ୍ଗ ଦେଇଥିଲେ। ଲାଠି ମାଡ଼ରୁ ବର୍ତ୍ତିବା ପାଇଁ ଦଉଡ଼ିବା ବେଳେ ସଂଘର ସଭାପତିଙ୍କ ସହ ୫ ଜଣ ଆହତ ହୋଇଛନ୍ତି। ଶେଷରେ ଏକ ୫ ଜଣିଆ ପ୍ରତିନିଧି ଦଳ ଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ସହ ଦେଖା କରିବାର ସୁଯୋଗ ପାଇଥିଲେ। ଆଗକୁ ବିଜେପୁର ନିର୍ବାଚନ ରହିଛି। ଏହା ପରେ ସଂଘ ସହ ଆଲୋଚନା କରାଯାଇ ଦାବିଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପୁଣି ପ୍ରତିଶ୍ରୁତି ମିଳିଛି। ତେବେ ଏଥର ପ୍ରତିଶ୍ରୁତି ପୂରଣ ନ ହେଲେ ଆଇନ ଅମାନ୍ୟ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂଘର ସଭାପତି ସୌମ୍ୟରଞ୍ଜନ ମଲ୍ଲିକଙ୍କ ସମେତ ସମ୍ପାଦକ ଦିଲ୍ଲୀପ କୁମାର ନାୟକ, ଉପସଭାପତି ପରିକ୍ଷୀତ ନାୟକ, ଯୁଗ୍ମ ସମ୍ପାଦକ ଚିନ୍ମୟ ଦାସ, ପ୍ରଫୁଲ୍ଲ ସାହୁ, ଅନୀଲ ବେହେରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ।

ଦାବିଗୁଡ଼ିକ ମଧ୍ୟରେ ‘ସ୍କୁଲ କୋଅର୍ଡିନେଟର’ ନାମ ପରିବର୍ତ୍ତନ କରାଯାଇ କମ୍ପ୍ୟୁଟର ଶିକ୍ଷକ ମାନ୍ୟତା ପ୍ରଦାନ କରାଯିବା, ଶିକ୍ଷକମାନଙ୍କୁ ଓଆରଭି ଆକ୍ଟ ଅନ୍ତର୍ଭୁକ୍ତ କରିବା, ସମସ୍ତ ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତା ମୂଳକ କରିବା, ଏହି ସଂଯୋଜକମାନଙ୍କୁ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମାନ୍ୟତା ଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଇ-ବିଦ୍ୟାଳୟ ପ୍ରକଳ୍ପକୁ ରାଜ୍ୟ ସରକାର ଘରୋଇ କରଣ ନ କରି ସରକାର ପରିଚାଳନା କରିବା ପ୍ରମୁଖ ରହିଛି।

ସୂଚନାଯୋଗ୍ୟ, ୨୦୧୪ ମସିହାରୁ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଏଭଳି ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଛନ୍ତି। ଶିକ୍ଷକ ଓ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ନିମନ୍ତେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଆର୍ଥିକ ବୋଝ ବହନ କରୁଥିବା ବେଳେ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି। ରାଜ୍ୟର ୪ ହଜାର ସ୍କୁଲକୁ ୨ଟି ସଂସ୍ଥା (ଆଇଏଲ ଆଣ୍ଡ ଏଫ୍‌ଏସ୍‌ ଓ ଟିସିଆଇଏଲ୍‌)ଏଭଳି ଶିକ୍ଷକ ଯୋଗାଇଛନ୍ତି। ଆଉଟ ସୋର୍ସିଂ ଜରିଆରେ ସରକାର ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଗତ ୧୦ ମାସ ହେଲା ଏହି ଶିକ୍ଷକମାନେ ଦରମା ପାଇନାହାନ୍ତି।

ସମ୍ବନ୍ଧିତ ଖବର