ନାଗରିକତା ସଂଶୋଧନ ଆଇନକୁ ବିରୋଧ : ରାଜଧାନୀରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ବିଶାଳ ବିକ୍ଷୋଭ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ମାଇନରିଟି ୱେଲଫେୟାର ସୋସାଇଟି, ଭୁବନେଶ୍ବର ପକ୍ଷରୁ ରାଜଧାନୀର ଲୋୟର୍‌ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନାଗରିକତା ସଂଶୋଧନ ଆଇନ ଓ ଏନ୍‌ଆରସିକୁ ବାତିଲ କରା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆଜି ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସତ୍ୟନଗରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର୍‌ ପିଏମ୍‌ଜିରେ ପହଞ୍ଚିଥିଲା। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନାଗରିକତା ସଂଶୋଧନ ଆଇନକୁ ତୀବ୍ର ବିରୋଧ କରାଯିବା ସହ ଏହି ଆଇନ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରୁଛି। ଏହି ଆଇନ ସମ୍ବିଧାନର ଧାରା ୧୪ ଓ ୧୫ର ଉଲ୍ଲଂଘନ କରୁଛି। ତେଣୁ ଏହା ଅସମ୍ବିଧାନିକ। ଏପରିକି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିକ୍ଷୋଭକାରୀ କହିଥିଲେ, ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ତାଙ୍କର ପ୍ରତ୍ୟେକ ହାଡ଼ରେ ଧର୍ମନିରପେକ୍ଷତା ରହିଥିବା କହିଥିଲେ। ଏପରିକି ଏନ୍‌ଆର୍‌ସିକୁ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମନରେ ଆଶା ସଂଚାର କରିଥିଲେ। ତେଣୁ ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନିଜର ଦାବି ରଖନ୍ତୁ ବୋଲି ବିକ୍ଷୋଭକାରୀ କହିଥିଲେ।

ଏହି ଅବସରରେ ସଂଖ୍ୟାଲଘୁ ସଂପ୍ରଦାୟ ଓ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ପାଇଁ ସଚିବାଳୟକୁ ଯାଇଥ‌ିଲେ। ମାତ୍ର ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ପାରି ଗୃହ ସଚିବଙ୍କୁ ଭେଟିଥିଲେ। ରାଜ୍ୟରେ ନାଗରିକତା ସଂଶୋଧନ ଆଇନକୁ ଲାଗୁ ନ କରିବା ପାଇଁ ଦାବି ଜଣାଇଥିଲେ। ଏହା ସମ୍ବିଧାନ ବିରୋଧୀ ଓ ଏହାକୁ ଲାଗୁ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର