ଦୁଇ ଦଫା ଦାବି ନେଇ ତୃତୀୟ ଦିନରେ ବିଲ୍ଟ ପେପର ମିଲରେ ଧାରଣା

୧ମ ପର୍ଯ୍ୟାୟ ଆଲୋଚନା ଅଧପନ୍ତରିଆ
ମଦରଏର୍ଥ କଂପାନୀ ବିଲଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରୀ
ଦାବି ପୁରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବନି

ଜୟପୁର : ୨ଦଫା ଦାବିକୁ ନେଇ ଗତ ତିନି ଦିନ ହେବ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗାଗନାପୁରସ୍ଥିତ ବିଲ୍ଟ ପେପର ମିଲ୍‌ ଗେଟରେ ଶ୍ରମିକମାନେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ୨୨ ମାସର ବକେୟା ଦରମା, ଭତ୍ତା ପ୍ରଦାନ, ସମସ୍ତ ପୁରୁଣା ସ୍ଥାୟୀ, ଅସ୍ଥାୟୀ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପ୍ରଦାନ କରିବା ଦାବି ନେଇ ଏମାନେ ଧାରଣା ଦେଉଛନ୍ତି। ଶ୍ରମିକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ପୁଲିସ ପ୍ରଶାସନ ପକ୍ଷରୁ ଏହି ମାମଲାରେ ହସ୍ତକ୍ଷେପ କରାଯାଇଥିଲା। ଏହି କ୍ରମରେ ଜୟପୁର ସଦର ଥାନା ପରିସରରେ କଂପାନୀର ପ୍ରତିନିଧି ଭାବେ ମାନବସମ୍ବଳର ମୁଖ୍ୟ ରମେଶ କୁମାର ଯାଦବ, ଏଜିଏମ୍ ଶକ୍ତି ମିଶ୍ର, ପରିଚାଳନା ସଂସ୍ଥାର ଆଇନଜୀବୀ ସଚ୍ଚିଦାନନ୍ଦ ମିଶ୍ର, ବରିଷ୍ଠ ଶ୍ରମିକ ନେତା ବାଲା ରାୟ, ଶ୍ରମିକ ସଂଗଠନର ପି.ସୁରେଶ କୁମାର, ବଂଶୀଧର ମହାଙ୍କୁଡଙ୍କ ସମେତ ବହୁ ଶ୍ରମିକ ନେତା ଏହି ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ତେବେ ଆଲୋଚନା ଅଧପନ୍ତରିଆ ରହିଥିଲା। ଆଗକୁ ଆହୁରି ଆଲୋଚନା ହେବ ବୋଲି ସୂଚନା ମିଳିଛି।

ପରୋକ୍ଷ ଓ ପ୍ରତ୍ୟକ୍ଷରେ ଏହି ମିଲ୍ ଉପରେ ପ୍ରାୟ ୧୦ହଜାର ଲୋକେ ନିର୍ଭର। ଗତ ୨୨ମାସ ହେବ ଯନ୍ତ୍ରାଂଶ ମରାମତି ନାଁ କଂପାନୀ ବନ୍ଦ ହେବା ପରେ ଏହି ସମସ୍ୟାକୁ ନେଇ ଗତ କିଛି ମାସ ମଧ୍ୟରେ ରାଜ୍ୟସ୍ତରରେ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ କିଛି ଆଶୁ ନିଷ୍ପତି ହୋଇ ପାରିନି। ଅନ୍ୟ ପକ୍ଷରେ ସଂପ୍ରତି ମଦର ଏର୍ଥ କଂପାନୀ ଏହାକୁ ନେବା ପ୍ରକ୍ରିୟା ଆରମ୍ଭ କରିବା ସହ ମିଲ୍ ପରିସରରେ ଭାଙ୍ଗିଯାଇଥିବା ପଲପ୍ ମିଲର ମରାମତି କାମ ଆରମ୍ଭ କରିଛନ୍ତି। ଏହାରି ମଧ୍ୟକୁ ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ମଧ୍ୟରୁ କିଛି ଶ୍ରମିକଙ୍କୁ ଛାଡିବା ସହ କିଛି ଜଣଙ୍କୁ ଛାଡି ନଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହେବା ସହ ଶ୍ରମିକ ମାନେ ଧାରଣା ଦେଉଛନ୍ତି। ମଦର ଏର୍ଥ ନାମକ କଂପାନୀ ସଂପ୍ରତି ବିଲଟ୍ ନାଁରେ ଥିବା ଜମି ଓ ଅନ୍ୟାନ୍ୟ ସଂପତ୍ତି ଆଦିକୁ ମଦର ଏର୍ଥ କଂପାନୀ ନାଁରେ କରାଯିବା ପ୍ରକ୍ରିୟା ବି ଜାରୀ ରହିଛି। ପୂର୍ବରୁ ବିଭିନ୍ନ ବାବଦରେ ରହିଥିବା ବକେୟା, ନୂଆ କଂପାନୀ କିଭଳି ମିଲକୁ ନିଜ ଅଧିନକୁ ନେଇ ପୁଜିଂ ଲଗାଇ ଆରମ୍ଭ କରିବ ସେ ପ୍ରୟାସରେ ରହିଛି ବୋଲି କଂପାନୀର ପ୍ରତିନିଧି ମାନେ ସୂଚନା ଦେଇଥିଲେ। କର୍ମଚାରୀଙ୍କ ଅଭିଜ୍ଞତା ଓ ବୟସକୁ ଦୃଷ୍ଟିରେ ରଖି କର୍ମଚାରୀ ମାନଙ୍କୁ ପୁନଃନିଯୁକ୍ତି ଦିଆଯିବା ପାଇଁ କଂପାନୀ ସହ ଆଲୋଚନା କରାଯିବ ବୋଲି କଂପାନୀର ପ୍ରତିନିଧି ମାନେ କହିଥିଲେ। ତେବେ ଆଜିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅଧପନ୍ତରିଆ ହୋଇଯାଇଛି। କଂପାନୀ ପୁନଃନିଯୁକ୍ତି ଦେବା, ବକେୟା ରାଶି ପ୍ରଦାନ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି। ଗତ ତିନି ଦିନ ତଳେ ବିଲ୍ଟ ପେପର ମିଲ୍ର ମୁଖ୍ୟ ଜେ. ଏନ୍.ନାଥାନି ଓ ମାନବ ସମ୍ବଳ ମୁଖ୍ୟ ରମେଶ ଯାଦବଙ୍କୁ ଶ୍ରମିକ ମାନେ ମିଲ ପରିସରକୁ ଯିବାକୁ ଛାଡି ନଥିଲେ।

ଏହାରି ମଧ୍ୟରେ ବିଲଟ୍ ନାଁରେ ଥିବା ଜମି ଗୁଡିକୁ ଏହାକୁ ଏବେ ନେଇଥିବା ମଦରଏର୍ଥ କଂପାନୀ ନିଜ ନାଁ ସଂପତ୍ତି ଗୁଡିକ କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ମିଲ ପରିସରରେ ମରାମତି କାମ ବି କରୁଛି। ନିଜ ନାଁରେ ଜମି ଓ ସଂପତ୍ତି ଆଦି ହେବା ପରେ କଂପାନୀ ବ୍ୟାଙ୍କ ଋଣ ଆଦି ଆଣିବା ପରେ ଏହାକୁ ଚାଳୁ କରିବା ଯୋଜନା ରହିଥିବା କିଛି କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର