ଭୁବନେଶ୍ୱର : ଇମ୍ଫା କମ୍ପାନିର ଋଣ ଛାଡ଼ ସମ୍ପର୍କରେ ସିବିଆଇ ତଦନ୍ତ ଦାବି କରି ଓଡ଼ିଶା ଲୋକଦଳ ପକ୍ଷରୁ ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଲୋକଦଳ ସଭାପତି ଦୀପ୍ତିରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ନାରାବାଜି କରିବା ସହ ବାସଭବନ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ଅଟକାଇବାରୁ ସେଠାରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଆନ୍ଦୋଳନକାରୀ ଶ୍ରୀ ପଣ୍ଡାଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ।
ସଭାପତି ଶ୍ରୀ ମହାନ୍ତିଙ୍କ କହିବାନୁଯାୟୀ ସାଂସଦ ଶ୍ରୀ ପଣ୍ଡା ଇମ୍ଫା କମ୍ପାନିର ଉପାଧ୍ୟକ୍ଷ ଥିବା ସମୟରେ ୨୩୦୦ କୋଟି ଟଙ୍କା ଛାଡ଼ ପାଇଛନ୍ତି। ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଇମ୍ଫା କମ୍ପାନିର ୨୩୦୦ କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି। ତେଣୁ କମ୍ପାନିର ଋଣ ଛାଡ଼ ସମ୍ପର୍କରେ ସିବିଆଇ ତଦନ୍ତ କରାଯାଉ। ନ ହେଲେ ଓଡ଼ିଶା ଲୋକଦଳ ବ୍ୟାପକ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ବିକ୍ଷୋଭରେ ଲୋକଦଳର ଉପସଭାପତି ଶୁଭଙ୍କର ମହାନ୍ତି, ସାଧାରଣ ସମ୍ପାଦକ ଦୁଷ୍ମନ୍ତ ବେହେରା, କୃଷକ ନେତା ବିପିନ ମୁଦୁଲି, ଯୁବ ନେତା ଦୀପଙ୍କର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/baijantye.jpg)