ରରୁଆଁ/ଘାଗରବେଡ଼ା: ଭୁଲ୍‌ ବୁଝାମଣା କାରଣରୁ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀ ମୟୂରଭଞ୍ଜଜିଲ୍ଲା ଘାଗରବେଡ଼ା ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଆଇଆଇସି ବଳରାମ ମହାରଣାଙ୍କୁ ଠେଲାପେଲା କରିଛନ୍ତି।

Advertisment

ଘଟଣାରୁ ପ୍ରକାଶ, ରରୁଆଁ ବ୍ଲକ୍‌ ଘାଗରବେଡ଼ା ଥାନା ଅଧୀନ ସଲଗୁଡ଼ା ଗ୍ରାମର ଘନଶ୍ୟାମ ପୂର୍ତ୍ତି (୩୮) ଗତ ୧ ତାରିଖ ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଥିଲା। ତେବେ ଘନଶ୍ୟାମଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହେଁ; ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ଘାଗରବେଡ଼ା ଥାନା ଅଧିକାରୀ ବଳରାମ ମହାରଣା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଥିଲେ। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପୂର୍ବରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉଥିବା ଗ୍ରାମବାସୀଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଥିଲା। ଆଜି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଘାଗରବେଡ଼ା ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଘେରାଉ କରିଥିଲେ। ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ, ରରୁଆଁ ଆଇଆଇସି ଅନାଦିଚରଣ ପଟାୟତଙ୍କ ସମେତ ପୁଲିସ ଟିମ୍‌ ପହଞ୍ଚି ବିକ୍ଷୋଭକାରୀ ଓ ବ୍ଲକ୍‌ ଅଧ୍ୟକ୍ଷ ଅଜିତ ତିରିୟାଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।