ରେଳ ବଜେଟ୍‌ରେ ଅବହେଳା: ମୟୂରଭଞ୍ଜରେ ପ୍ରତିବାଦର ସ୍ବର ଉଠିଲା

ବାରିପଦା : ରେଳ ବଜେଟ୍‌ରେ ମୟୂରଭଞ୍ଜକୁ ଅବହେଳାର ତାତି ଆଜି ଜିଲ୍ଲା ସଦର ମହକୁମାରେ ଦେଖିବାକୁ ମିଳିଛି। ଯୁବଛାତ୍ର ସଂଗଠନ ‘ଭଞ୍ଜସେନା’ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ଓ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ପାଇଁ ରେଳ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ନହେଲେ ସଂଗଠନ ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ ଚେତାବନୀ ଦିଆଯାଇଛି।

ସଂଗଠନ ପକ୍ଷରୁ କୁହାଯାଇଛି, ୧୯୦୫ ମସିହାରେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ରୁପ୍‌ସାରୁ ବାଙ୍ଗିରିପୋଷି ନ୍ୟାରୋଗଜ୍‌ ରେଳପଥ ନିର୍ମାଣ କରି ରେଳ ଚଳାଚଳର ସୁବିଧା କରିଥିଲେ। ମାତ୍ର ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଭିନ୍ନ କ୍ଷେତ୍ରରେ ଏହି ଆଦିବାସୀ ଅଧ୍ୟୁଷିତ ସର୍ବବୃହତ୍‌ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି। ଦୀର୍ଘ ବର୍ଷର ଦାବି ପରେ ଲାଲୁପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ରୁପ୍‌ସାରୁ ବାଙ୍ଗିରିପୋଷି ବ୍ରଡ୍‌ଗଜ୍‌ ଲାଇନ ନିର୍ମିତ ହୋଇ ରେଳ ଚଳାଚଳ କରୁଛି। ମାତ୍ର ଏହାକୁ ଗୋରୁମହିଷାଣି ସହିତ ସଂଯୋଗ କରାଯିବା, ବୁଢାମରା-ଚାକୁଳିଆ, ବାଦାମପାହାଡ଼-କେନ୍ଦୁଝର ନୂତନ ରେଳପଥର ସଂଯୋଗୀକରଣ, ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବା ଭଳି ଅନେକ ପ୍ରକଳ୍ପକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି।

ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଯୁବକ ଓ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୟୂରଭଞ୍ଜ ସାଂସଦଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସଂଗଠନର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ଜ୍ୟୋତିରଞ୍ଜନ ପୃଷ୍ଟି, ମାନସ ବେହେରା, ସୌମ୍ୟରଞ୍ଜନ ମିଶ୍ର, ସେକ ରାଜା ଖାନ, ରାକେଶ ମହାନ୍ତି ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର