ସମଲେଇ ଯୋଜନା: ଉଚ୍ଛେଦକୁ ନେଇ ଉତ୍ତେଜନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସ୍ତାଧସ୍ତି

ସମ୍ବଲପୁର: ସମଲେଇ ଯୋଜନାରେ ଉଚ୍ଛେଦ ପ୍ରକ୍ରିୟା ସମୟରେ ପ୍ରଶାସନ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ଘର ଭଙ୍ଗାଯିବାକୁ ବିରୋଧକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ଏଥିରେ ଜଣେ ମହିଳା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ସମ୍ପୃକ୍ତ ପଡ଼ାର ଲୋକମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି।

ସୂଚନାଯୋଗ୍ୟ, ସମଲେଇ ପ୍ରକଳ୍ପ କାମ ଆରମ୍ଭ ହୋଇସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଚ୍ଛେଦ ଶେଷ ହୋଇନାହିଁ। ଉଚ୍ଛେଦ ପାଇଁ ନୋଟିସ୍‌ ମିଳିଥିବା ୮୦ ପରିବାର
ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ସେମାନଙ୍କର ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ହେବାର ଅଛି। ଏହାସତ୍ତ୍ବେ ଆଜି ପ୍ରଶାସନ ପକ୍ଷରୁ ବିଚାରାଧୀନ ଥିବା ଘୁନଘୁଟିପଡ଼ାର ଶିବ ଭୋଇ ଓ ରାଜାରାମ ଗୌଡ଼ଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏହିସମୟରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଶୁଣାଣି ପୂର୍ବରୁ କାହିଁକି ଘର ଭଙ୍ଗା ଯାଉଛି ବୋଲି ପଡ଼ାବାସୀ ପ୍ରଶ୍ନ କରିବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ। ମାତ୍ର, ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ବରଂ ଉଚ୍ଛେଦକୁ ବିରୋଧ କରିବାରୁ ପୁଲିସ ୩ ଜଣଙ୍କୁ ଉଠାଇ ନେଇଥିଲା। ଲୋକମାନେ ପୁଲିସ ଗାଡ଼ି ସମ୍ମୁଖରେ ବସିପଡ଼ି ଏହାର ପ୍ରତିବାଦ କରିଥିଲେ। ଅନେକ ସମୟ ପର୍ଯ୍ୟନ୍ତ ଗାଡ଼ିକୁ ଦେବାକୁ ଦେଇନଥିଲେ। ପରେ ସେମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ ସବୁ ଜାଣିଶୁଣି ପାତରଅନ୍ତର କରୁଛି ବୋଲି ଅଭିଯୋଗ ଆଣିବା ସହ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯିବାକୁ ଦିଆନଯିବାରୁ ସେମାନେ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ଫଳସ୍ବରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ଓ ପଡ଼ାବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବୁଝାସୁଝା ହୋଇ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ଅଜାମ୍ବର ମହାନ୍ତିଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ସମ୍ବଲପୁର ମହାନଦର ନିଗମ(ଏସ୍‌ଏମ୍‌ସି) ସହ ଆଲୋଚନା କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।

ଏହାପରେ ବି ପଡ଼ାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପାତରଅନ୍ତର ନକରି ଉପଯୁକ୍ତ ଥଇଥାନ କରିବାକୁ ଦାବିକରି ଜିଲ୍ଲାପାଳଙ୍କ ସହ ଆଲୋଚନା ନହେବା ଯାଏ ଏବଂ ପୁଲିସ ଗିରଫ କରିଥିବା ୩ ଜଣଙ୍କୁ ନ ଛାଡ଼ିବା ଯାଏ ଧାରଣାରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ। ଯେଉଁ ଧାରା ଆଧାରରେ ପ୍ରଶାସନ ଆମ୍ଭମାନଙ୍କ ଘର ଉଚ୍ଛେଦ କରୁଛି, ସେହି ନିୟମ ଆଧାରରେ ନିକଟରେ ଥଇଥାନ ପାଇଁ ଦାବି କରିଥିଲେ। ତେବେ ସମଲେଇ ଯୋଜନାକୁ ସମସ୍ତେ ସ୍ବାଗତ କରୁଥିବା କହିଥିଲେ।

ସମ୍ବନ୍ଧିତ ଖବର