କଟକ : ସଂକ୍ରମଣ ଆଶଙ୍କାରେ ରୋଗୀ। କିଡ଼୍ନି ପ୍ରତିରୋପଣ ହେଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ଚିକିତ୍ସା ସୁବିଧା ମିଳୁନି। ସାଧାରଣ ରୋଗୀଙ୍କ ସହ ସେମାନଙ୍କୁ ଚିକିତ୍ସା କରାଯାଉଛି ଓ ଗୋଟିଏ ପାଇଖାନା ଉପରେ ନିର୍ଭର କରୁଛନ୍ତି ପାଖାପାଖି ୨ଶହ ରୋଗୀ। ଅନ୍ୟପଟେ ଓଏସ୍ଟିଏଫ୍ ବନ୍ଦ ପାଇଁ ଅଧୀକ୍ଷକ ବିଧିବଦ୍ଧ ଭାବେ ସମସ୍ତ ବିଭାଗକୁ ଚିଠି ଦେଇଥିବାରୁ ରୋଗୀଙ୍କୁ ଠିକ୍ ଭାବେ ଔଷଧ ମିଳୁନି। ଏଣିକି ବିଏସ୍କେୱାଇ ଭରସାରେ ରୋଗୀ। ଏହାର ପ୍ରତିବାଦରେ ଆଜି ୨୦ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟ କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି ବିଭାଗ ସମ୍ମୁଖରେ ଧାରଣା ଦେବା ସହ ଅବ୍ୟବସ୍ଥା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସ୍ସିବି ଅଧୀକ୍ଷକଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ପରେ ବି କିଛି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି।
କଟକ ବଡ଼ଡାକ୍ତରଖାନା ୟୁରୋଲୋଜି ବିଭାଗରେ କିଡ୍ନି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଉଛି। ୧୦ ଦିନ ୟୁରୋଲୋଜି ବିଭାଗରେ ରହିବେ ରୋଗୀ। କିନ୍ତୁ ପରବର୍ତ୍ତୀ ଚିକିତ୍ସା ନେଫ୍ରୋଲୋଜି ବିଭାଗରେ ହିଁ ଦିଆଯିବ। ସମ୍ପର୍କୀୟମାନଙ୍କ ଅଭିଯୋଗ ମୁତାବକ, କିଡ୍ନି ପ୍ରତିରୋପଣ ରୋଗୀଙ୍କୁ ସଂକ୍ରମଣର ଅଧିକ ଆଶଙ୍କା ଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା କରାଯିବା କଥା। ହେଲେ, କିଡ୍ନି ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଅନ୍ୟ ରୋଗୀଙ୍କ ସହ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ରୋଗୀମାନେ ଯେଉଁ ପାଇଖାନା ବ୍ୟବହାର କରୁଛନ୍ତି, ସେହି ପାଇଖାନା କିଡ୍ନି ପ୍ରତିରୋପଣ ରୋଗୀ ମଧ୍ୟ ବ୍ୟବହାର କରୁଛନ୍ତି। ଏହାର ପ୍ରତିବାଦରେ ସୋମବାର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କିଡ୍ନି ପ୍ରତିରୋପଣ ରୋଗୀଙ୍କ ସମ୍ପର୍କୀୟମାନେ ଧାରଣା ଦେଇଥିଲେ। ୨୦ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟମାନେ ଏହି ଧାରଣାରେ ସାମିଲ ହୋଇ ସରକାରଙ୍କ ବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁସାରେ, ବିଭାଗର ଆଡଟ୍ଡୋର୍କୁ ୪୫୦ରୁ ୫ଶହ ରୋଗୀ ଆସୁଛନ୍ତି। ୱାର୍ଡରେ ୬୦ଟି ବେଡ୍ ଥିବାବେଳେ ଡାଏଲିସିସ୍ ରୋଗୀଙ୍କ ପାଇଁ ରହିଛି ମାତ୍ର ୨୪ଟି ବେଡ୍। । ବ୍ରହ୍ମପୁର, ବୁର୍ଲା ତଥା ଏସ୍ସିବିର ବିଭିନ୍ନ ୱାର୍ଡରୁ ପ୍ରତ୍ୟେହ ୪୦ରୁ ଅଧିକ ରେଫରାଲ ରୋଗୀ ଏହି ୱାର୍ଡକୁ ଚିକିତ୍ସା ପାଇଁ ଆସୁଛନ୍ତି। ସରକାରଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା ପରେ ଏହି ଅବସ୍ଥା ଆହୁରି ଖରାପ ହୋଇଛି। ଭିତ୍ତିଭୂମିର ବିକାଶ ହୋଇ ନ ଥିବାରୁ ରୋଗୀମାନେ ହନ୍ତସନ୍ତ ହେବା ସାର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/protest-scb.jpg)