ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜଧାନୀରେ ଗର୍ଜିଛନ୍ତି ସରପଞ୍ଚ। ଦାବିପୂରଣ ପାଇଁ ମହାସଂଘର କର୍ମକର୍ତ୍ତା ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ଶିଶୁଭବନ ଛକ ରଣକ୍ଷେତ୍ର ପାଲଟିଥିଲା। ଏହାପରେ ପୁଲିସ ଶତାଧିକ କର୍ମକର୍ତ୍ତାଙ୍କୁ ଉଠାଇ ନେଇଥିଲା।

Advertisment

ସୂଚନାନୁସାରେ ଆଜି ରାଜ୍ୟର କୋଣ ଅନୁକୋଣରୁ ସରପଞ୍ଚମାନେ ଆସି ଲୋୟର ପିଏମ୍‌ଜିରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ଶିଶୁଭବନ ଛକରେ ପହଞ୍ଚିଥିଲେ। ପୁଲିସ ବ୍ୟାରିକେଡ୍ କରି ସେମାନଙ୍କୁ ଅଟକାଇଥିଲା। ଫଳରେ ସରପଞ୍ଚ ଓ ପୁଲିସ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ସରପଞ୍ଚମାନେ ଶିଶୁଭବନ ଛକକୁ ‌ଯୋଡ଼ୁଥିବା ସମସ୍ତ ରାସ୍ତାରେ ଶୋଇ ରହି ଅବରୋଧ କରିଥିଲେ। ଫଳ‌ରେ ଶିଶୁଭବନ ଓଭରବ୍ରିଜ୍ ସମେତ ଫରେଷ୍ଟପାର୍କ ରାସ୍ତା ସଂପୂର୍ଣ୍ଣ ଜାମ ହୋଇଯାଇଥିଲା। ଆନ୍ଦୋଳନକାରୀ ସରପଞ୍ଚମାନଙ୍କୁ ରାସ୍ତାରୁ ହଟାଇବାକୁ ପୁଲିସକୁ ବହୁ କସରତ କରିବାକୁ ପଡ଼ିଥଲା। ସ୍ଥିତି ଅଣାୟତ୍ତ ହେବାରୁ ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଲୋୟର ପିଏମ୍‌ଜିରେ ୨୨ ଦିନ ଧାରଣା ଦେବା ପରେ ସରକାର ଆମକୁ ସଚିବାଳୟ ଡାକି ସବୁ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ସରକାରଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରି ଆମେ ଆନ୍ଦୋଳନରୁ ଉଠିଥିଲୁ। କିନ୍ତୁ ସରକାର ମାତ୍ର ଗୋଟିଏ ଦାବି ପୂରଣ କରି ଲଲିପପ୍ ଧରାଇଦେଲେ। ତେଣୁ ବାକି ଥିବା ୧୪ ଦଫା ଦାବି ପୂରଣ ନେଇ ଆଜି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲୁ।

ସରପଞ୍ଚମାନଙ୍କ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ବ ଦିଆଯାଉ ଏବଂ ଭାରତସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଉନ୍ନୟନମୂଳକ କାର୍ଯ୍ୟ ଓ ହିତାଧିକାରୀଙ୍କ ଚୟନ ଗ୍ରାମସଭା ମାଧ୍ୟମରେ ଅନୁମୋଦନ କରାଯାଉ। ସରପଞ୍ଚମାନଙ୍କୁ ଗ୍ରାମ ପଞ୍ଚାୟତର ଭୋଟରମାନେ ସିଧାସଳଖ ନିର୍ବାଚିତ କରୁଛନ୍ତି। ଏ‌ଣୁ ୱାର୍ଡ ସଭ୍ୟ ସଭ୍ୟାମାନଙ୍କ ଦ୍ବାରା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରାଯାଉ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଆସୁଥିବା ଅର୍ଥ ଗ୍ରାମସଭା ମଧ୍ୟରେ ପାରିତ ହୋଇ ଗ୍ରାମପଞ୍ଚା‌ୟତକୁ ତଦାରଖ ଦାୟିତ୍ବ ଦିଆଯାଉ ଆଦି ରହିଛି। ଆଜିର ଆନ୍ଦୋଳନରେ ସଭାପତି ରୋମାଞ୍ଚ ସାହୁ, ସାଧାରଣ ସମ୍ପାଦକ ତପନ କୁମାର ଚକ୍ରବର୍ତ୍ତୀ, ବୀରବର ସାହୁ, ଭବାନୀ ଶଙ୍କର ମଲ୍ଲିକ ଓ ରାହୁଲ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ।