ଭୁବନେଶ୍ବର: ବିଭିନ୍ନ ଦାବିରେ ଅଲ୍ ଓଡ଼ିଶା ଗ୍ରାମ୍ୟ ପାନୀୟ ଜଳଯୋଗଣ କର୍ମଚାରୀ ମହାସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘ ପକ୍ଷରୁ ଗତ ସେପ୍ଟେମ୍ବର୨୫ତାରିଖ ଠାରୁ ୩୯ଦିନ ଧରି ଲୋୟର ପିଏମଜି ଠାରେ ଧାରଣା ଚାଲିଥିବା ବେଳେ ଆଜି ଶୋଭାଯାତ୍ରାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବା ସମୟରେ ପୁଲିସ ବିକ୍ଷୋଭକାରୀଙ୍କୁ ମାଷ୍ଟର କ୍ୟାଣ୍ଟିନ ଠାରେ ଅଟକାଇଥିଲା। ସଂଘର ଏକ ୫ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଥିଲେ। ହେଲେ ମନ୍ତ୍ରୀ ଉପସ୍ଥିତ ନଥିବାରୁ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।
ମହାସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡ଼ିକ ମଧ୍ୟରେ ଏସ୍ଇଏମ୍ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମାନ୍ୟତା, ସମାନ କାମକୁ ସମାନ ଦରମା ପ୍ରଦାନ, ଗ୍ରାମ ପଞ୍ଚାୟତରୁ ଦରମା ବନ୍ଦ କରାଯାଇ ବିଭାଗରୁ ଦରମା ପ୍ରଦାନ, ନିଯୁକ୍ତି କ୍ଷେତ୍ରରେ ୫ବର୍ଷ ବୟସ କୋହଳ କରିବା, ୧୦ବର୍ଷର ଏରିଅର ପ୍ରଦାନ, କାର୍ଯ୍ୟରତ ସମୟରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାର ଜଣେ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ଓ କାର୍ଯ୍ୟକାରୀ ହେଉଥିବା ମେଗାପ୍ରକଳ୍ପରେ ଏସ୍ଇଏମ୍ ମାନଙ୍କୁ ନିଯୁକ୍ତି ପ୍ରଦାନ ଆଦି ରହିଛି।
ସଂଘର ସୂଚନା ଅନୁଯାୟୀ ରାଜ୍ୟରେ ୨୫ହଜାର କର୍ମଚାରୀ ଗ୍ରାମୀଣ ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏସ୍ଇଏମ୍ କର୍ମଚାରୀ ମାନେ ବସୁଧା ଓ ମେଗା ପ୍ରକଳ୍ପ ତଥା ନଳକୂପ ମରାମତି କାର୍ଯ୍ୟ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି। କାର୍ଯ୍ୟରତ କର୍ମଚାରୀ ମାନେ ୧୯୮୯ ମସିହା ପୂର୍ବଠାରୁ କାର୍ଯ୍ୟ କରିଆସୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ଦିନକୁ ୬୪.୬୬ଟଙ୍କା ହିସାବରେ ମାସକୁ ୨୦୦୦ଟଙ୍କା ଦରମା ପ୍ରଦାନ କରାଯାଉଛି। ଦୈନିକ ୮ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟକରୁଥିବା ବେଳେ କୌଣସି ପ୍ରକାରର ସରକାରୀ ସୁବିଧା ମିଳୁନାହିଁ। କାର୍ଯ୍ୟରତ ୨୫୦୦୦ କର୍ମଚାରୀ ମାନଙ୍କ ଭିତରରୁ ୧୫୦୦ଜଣ ମହିଳା କର୍ମଚାରୀ ରହିଛନ୍ତି। ବିଭିନ୍ନ ଦାବି ନେଇ ୮ମାସ ଧରି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଦେଖା କରିବାକୁ ଚାହୁଥିବା ବେଳେ କେହି ବି ଦେଖା ଦେଉନଥିବା ମହାସଂଘର ସଂପାଦକ ବୈକୁଣ୍ଠନାଥ ସାହୁ କହିଛନ୍ତି। ଆଜିର ଦିନରେ ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଉଥିବା ବେଳେ ୨୦୦୦ଟଙ୍କା ଦରମାରେ ଘର ଚଳାଇବା ସମ୍ଭବ ନୁହେଁ ବୋଲି ସଂଘର ସଭାପତି ତୁଲାରାମ ଭୁଏ କହିଛନ୍ତି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂପାଦକ ଶ୍ରୀ ସାହୁ କହିଛନ୍ତି।