ସୁନ୍ଦରଗଡ଼: ଚାଷୀ ଓ ଚାଷ ବଞ୍ଚାଅ ଦାବିରେ ଆଜି ଅଖିଳ ଭାରତୀୟ କୃଷକ ସଭା ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଧାନ କ୍ୟୁଣ୍ଟାଲ ପିଛା ୪ ହଜାର ଟଙ୍କା, କୃଷିଋଣ ଛାଡ, ବୃଦ୍ଧ ଚାଷୀଙ୍କୁ ୬ ହଜାର ଟଙ୍କା ପେନସନ, ରିହାତି ଦରରେ ସାର, ବିହନ ଯୋଗାଣ, ପ୍ରତି ୫ ବର୍ଷରେ କୃଷି କମିସନ ଗଠନ ଆଦି ୧୩ ଦଫା ଦାବି କରାଯାଇଛି।
ଅଖିଳ ଭାରତୀୟ କୃଷକ ସଭାର ପ୍ରତିଷ୍ଠା ଦିବସରେ ଏହାକୁ ପ୍ରତିବାଦ ଦିବସ ଭାବେ ପାଳନ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଅଶୋକ ଦାଶ, ଅଖିଳ ଭାରତୀୟ କୃଷକ ସଭାର ପ୍ରଦୋଷ ମହାନ୍ତି, ସୁନିଲ ନାଏକ, ରାଜେନ୍ଦ୍ର ନାଏକଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭରେ ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।।