ଶ୍ରମ କମିସନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର : କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କ‌ଲେ ହିଁ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ତଥା ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଅଧ୍ୟୟନ ପାଇଁ ପ୍ରଚଳିତ ଶିକ୍ଷା ସହାୟତା ରାଶି ପ୍ରଦାନ କରାଯିବ। ଏହି ନୂତନ ନିର୍ଦେଶ ପ୍ରତିବାଦରେ ଆଜି ନିର୍ମାଣ ଶ୍ରମିକ ୟୁନିୟନ ସମନ୍ବୟ କମିଟି ପକ୍ଷରୁ ଶ୍ରମ କମିସନର୍‌ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। କମିଟିର ଆବାହକ ବିଜୟ ଜେନାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ବିକ୍ଷୋଭକାରୀମାନେ କହିଛନ୍ତି, କଲ୍ୟାଣ ବୋର୍ଡ ଭଙ୍ଗ ହେବା ପରେ ପୁନର୍ଗଠିତ ନ ହୋଇ ମଧ୍ୟ ଶିକ୍ଷା ସହାୟତା ପ୍ରତ୍ୟାହାର ନିନ୍ଦନୀୟ। ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସରକାରୀ ଅନୁଷ୍ଠାନର ଆସନ ସଂଖ୍ୟା ଏକ ଦଶମାଂଶରୁ କମ୍ ଅଛି। ରାଜ୍ୟର ୩୨ଟି ଶ୍ରମ ଜିଲ୍ଲାରେ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସହାୟତା ପ୍ରଦାନରେ ଶ୍ରମ ଅଧିକାରୀଙ୍କ ହାତ ଚିକ୍କଣ ବିନା ଏହା ଅସମ୍ଭବ। ନିର୍ମାଣ ଶ୍ରମିକ ବାସଗୃହ ଯୋଗାଣ ବ୍ୟବସ୍ଥା ପଞ୍ଚାୟତିରାଜ ଜରିଆରେ କାର୍ଯ୍ୟକାରୀ କରାଇବା ନାଁରେ ରାଜ୍ୟରେ ଜଣେ ହେଲେ ନିର୍ମାଣ ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଗୃହ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହି ଅବସରରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ଶ୍ରମ କମିସନର୍‌ଙ୍କୁ ଭେଟି ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

ବିକ୍ଷୋଭରେ ସୁର ଜେନା, ଜୟନ୍ତ ଦାସ, ପ୍ରଣତି ମିଶ୍ର, କିଶୋର ଜେନା, ବିପ୍ଲବ କେଶରୀ ମହାପାତ୍ର, ଶଙ୍କର୍ଷଣ ବେହେରା, ମନୋରଂଜନ ମହାରଣା, ମହାବୀର ମିଶ୍ର, ମହେନ୍ଦ୍ର ପରିଡ଼ା, ବସନ୍ତ ସାହୁ, ବିଦ୍ୟାଧର ମହାନ୍ତି, ସୋମନାଥ ଗିରି ଓ କରୁଣା ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର