ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଏସ୍‌ଆଇଟି ତଦନ୍ତ ଦାବି: ଆଜି ରାଜଭବନ ସାମ୍ନାରେ ୧୨ଦଳଙ୍କ ବିକ୍ଷୋଭ

ଭୁବନେଶ୍ବର : ସରକାରୀ ତଥ୍ୟ ଅନୁଯାୟୀ, ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୭୫ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧୯୯ଜଣ ଗୁରୁତର ଆହତ ହୋଇଛନ୍ତି। ମାତ୍ର ପ୍ରତ୍ୟକ୍ଷ ଅନୁସନ୍ଧାନରୁ ମୃତ ଓ ଆହତ ସଂଖ୍ୟା ବହୁ ଅଧିକ। ପ୍ରକୃତ ତଥ୍ୟ ଓ ସତ୍ୟକୁ ଚାପିଦେବା ପାଇଁ ଉଦ୍ୟମ କରାଯାଇଛି। କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କରିବା ସହ ପୀଡ଼ିତ ପରିବାରମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌.ଆଇ.ଟି ଦ୍ୱାରା ତଦନ୍ତ କରିବା ପାଇଁ ୧୨ଟି ବିରୋଧୀ ଦଳ ଦାବି କରିଛନ୍ତି। ଆଜି ଏକ ହୋଟେଲ୍‌ରେ ବୈଠକ ହେବା ସହ ଏହି ନିଷ୍ପତ୍ତ ନିଆଯାଇଛି। ଏହାସହ ଯାତ୍ରୀମାନଙ୍କର ନିରାପତ୍ତା ଏବଂ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଦାବିରେ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଜୁନ୍ ୧୨ ତାରିଖରେ ପୂର୍ବତଟ ରେଳବାଇ ମୁଖ୍ୟାଳୟ ସମେତ ବାଲେଶ୍ୱର, ବ୍ରହ୍ମପୁର ଓ ରାଉରକେଲାଠାରେ ଅନୁରୂପ ବିକ୍ଷୋଭ କରାଯାଇ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଦୁର୍ଘଟଣାରେ ମୃତକ ଓ ଆହତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯିବାକୁ ପ୍ରତିନିଧିମାନେ ଦାବି କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ପଦବୀରୁ ଇସ୍ତଫା ଦେଲେ ହିଁ ଏହି ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ସେମାନେ କହିଛନ୍ତି।

ବୈଠକରେ କଂଗ୍ରେସ, ସି.ପି.ଆଇ, ସି.ପି.ଆଇ(ଏମ୍‌), ସି.ପି.ଆଇ(ଏମ୍‌.ଏଲ୍‌), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମତାକ୍ରାନ୍ତି ଦଳ, ସି.ପି.ଆଇ.ଏମ୍‌.ଏଲ୍‌(ରେଡ୍‌ଷ୍ଟାର) ଏବଂ ଆର୍‌.ପି.ଆଇ ପ୍ରମୁଖ ୧୨ଟି ବିରୋଧୀ ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଅଳିକିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ଅଭୟ ସାହୁ, ଜୟନ୍ତ ଦାସ, ଯୁଧିଷ୍ଟିର ମହାପାତ୍ର, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ନିଶିକାନ୍ତ ମହାପାତ୍ର, ରବି ବେହେରା, ସୁଦର୍ଶନ ପ୍ରଧାନ, ହରୀଶ ମହାପାତ୍ର, ହେମନ୍ତ କୁମାର, ବିକ୍ରମ ସ୍ୱାଇଁ, ପ୍ରଭାସ ସାମନ୍ତରାୟ, ଗୀତାଞ୍ଜଳି ମହାନ୍ତି, ପ୍ରମିଳା, ଶେଖ୍ ଅବଦୁଲ୍ଲ ୱାଲ୍ଲି ସମେତ ବିଷ୍ଣୁ ମହାନ୍ତି, ସୁରେଶ ପାଣିଗ୍ରାହୀ, ଅଶୋକ ଦାସ, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ମହେନ୍ଦ୍ର ପରିଡ଼ା ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ଅଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର