ଭୁବନେଶ୍ୱର : ଭତ୍ତା ବୃଦ୍ଧି ଓ ସାମାଜିକ ନିରାପତ୍ତା ଦାବି ନେଇ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ପୁଲିସ ସେମାନଙ୍କ ଉପରେ ଲାଠି ମାଡ଼ କରିଥିଲା। ପୁଲିସର ଏଭଳି ଦମନଲୀଳାକୁ ବିରୋଧ କରି ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆଜି ପିଏମ୍ଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୬ ଦଫା ଦାବି ଉପସ୍ଥାପିତ କରାଯାଇଛି।
ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନରୁ ଶୋଭାଯାତ୍ରା ବାହାରି ଆନ୍ଦୋଳନକାରୀ ପିଏମ୍ଜି ଛକ ନିକଟରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେଠାରେ ଆୟୋଜିତ ସମାବେଶରେ ବକ୍ତାମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍ଗନବାଡ଼ିର ବିକାଶ ତାଙ୍କ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ। ଇତିମଧ୍ୟରେ ବିଜେପି ସରକାରକୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କ ପାଇଁ ସର୍ବନିମ୍ନ ଦାୟିତ୍ୱ ପାଳନ କରାଯାଇ ନାହିଁ। ବରଂ କେନ୍ଦ୍ରୀୟ ବଜେଟ୍ରେ ଅର୍ଥ ହ୍ରାସ କରାଯାଇଛି। ତେଣୁ ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ସର୍ବନିମ୍ନ ୧୮ ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ସ୍ୱତନ୍ତ୍ର ଗୃହ ନିର୍ମାଣ ହେଉ। ଅଙ୍ଗନବାଡ଼ି ବୀମା ଯୋଜନାରେ ଆବଶ୍ୟକ ସଂଶୋଧନ କରି ପ୍ରାଥମିକ ଶ୍ରେଣୀରୁ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ଶିକ୍ଷା ବୃତ୍ତି ପ୍ରଦାନ, ବୈଷୟିକ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷାବୃତ୍ତି, ମୃତ୍ୟୁକାଳୀନ ସହାୟତା ରାଶି ପ୍ରାୟ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପରି ୬ ଦଫା ଦାବି ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି।
ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ଓଡ଼ିଶା ଅଙ୍ଗନବାଡ଼ି ୱାକର୍ସ ଆଣ୍ଡ ହେଲପର୍ସ ଆସୋସିଏସନ୍ର ରାଧାରମଣ ଷଡ଼ଙ୍ଗୀ, ହରପ୍ରିୟା ସ୍ୱାଇଁ, ଏଆଇଟିିୟୁସି ନେତା ଜୟନ୍ତ ଦାସ, ସୁର ଜେନା, ଏଚ୍ଏମ୍ଏସ୍ ନେତା ଯୋଗେନ୍ଦ୍ର ତ୍ରିପାଠୀ, ଆଇଏନ୍ଟିୟୁସି ନେତା କିଶୋର ଜେନା, ଏଆଇସିସିଟିୟୁ ନେତା ମହେନ୍ଦ୍ର ପରିଡ଼ା ପ୍ରମୁଖ ସମାବେଶରେ ସାମିଲ ହୋଇଥିଲେ। ଆସନ୍ତା ନଭେମ୍ବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ପାର୍ଲାମେଣ୍ଟ ଘେରାଉ ସଫଳ କରିବା ଲାଗି ଓଡ଼ିଶାର ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଦିଲ୍ଲୀ ଯିବାକୁ ବକ୍ତାମାନେ ଆହ୍ଵାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/anganwadi.jpg)